ରାଜସ୍ଥାନରେ ଚିନ୍ତନ, ପଞ୍ଜାବରେ ଝଟକା

ରାଜସ୍ଥାନରେ ଚିନ୍ତନ, ପଞ୍ଜାବରେ ଝଟକା

ଜାତୀୟ ଖବର

ଚଣ୍ଡିଗଡ଼: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ପଞ୍ଜାବରେ ଦଳକୁ ଲାଗିଛି ଝଟକା । ହାତ ଛାଡ଼ିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର । ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍‌ ଲକ୍‌ ଓ ଗୁଡ୍‌ ବାଏ କହିଛନ୍ତି।  ଫେସବୁକ୍‌ର ଏକ ଲାଇଭ ସେଶନରେ ସୁନୀଲ ଝାକର ଏହି ଘୋଷଣା କରିଥିବା ବେଳେ ଏହାକୁ ନିଜ ଟ୍ୱିଟର ପେଜରେ ବି ପୋଷ୍ଟ କରିଛନ୍ତି।

ଗତ ଶୁକ୍ରବାର ଝାକର ନିଜ ଟ୍ୱିଟର ପେଜରେ ଏକ ପୋଷ୍ଟ କରି ନିଜ ‘ଦିଲ କି ବାତ’ ଶନିବାର ଜଣାଇବେ ବୋଲି ଉଲ୍ଲେଖ କରିଥିଲେ। ଏହାପରେ ଶନିବାର କଂଗ୍ରେସ ଛାଡ଼ିବା କଥା ଘୋଷଣା କରିଥିଲେ।

ଉଦୟପୁରରେ ଗତକାଲିଠୁ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ଦ୍ୱିତୀୟ ଦିନରେ ଏପରି ଘଟଣା ସାମନାକୁ ଆସିଛି। 

ସୂଚନାଯୋଗ୍ୟ, ସୁନୀଲ ଝାକର ୨୦୧୭ରୁ ୨୦୨୧ ମସିହା ପର୍ୟ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପ୍ରେସିଡେଣ୍ଟ ଥିଲେ। ଏହାପୂର୍ବରୁ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ଗୁରୁଦାସପୁରରୁ ନିର୍ବାଚନ ଜିତି ଲୋକସଭାକୁ ମଧ୍ୟ ଯାଇଥିଲେ। ପଞ୍ଜାବ ବିଧାନସଭାରେ ୨୦୧୨ରୁ ୨୦୧୭ ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଥିଲେ।  ଦୀର୍ଘ ଦିନ କଂଗ୍ରେସରେ ରହିବା ସତ୍ତ୍ୱେ ସୁନୀଲ ଝାକର ଦଳ ଛାଡ଼ିବା କଂଗ୍ରେସକୁ ଏକ ଶକ୍ତ ଝଟକା ଦେଇଛି।

Powered by Froala Editor