ନୂଆଦିଲ୍ଲୀ: ସାଉଦି ଆରବରେ ପୁଣି ବଢ଼ୁଛି କରୋନା। ଦିନକୁ ଦିନ ଜଟିଳ ହେଉଛି ସ୍ଥିତି। ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ୧୬ ଦେଶକୁ ନିଜ ନାଗରିକଙ୍କ ଯାତାୟାତ ଉପରେ ରୋକ ଲଗାଇଛି ସାଉଦି ଆରବ ।
ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ଲେବନାନ, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇଥିୟୋପିୟା, କାଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତାନାମ, ଓମାନିଆ, ବେଲାରୁଷ ଆଦି ଦେଶ ସାମିଲ ଅଛି।
ସାଉଦି ଆରବରେ କରୋନା ଭାଇରସର ୪୧୪ ନୂଆ ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଏ ପର୍ୟ୍ୟନ୍ତ ଦେଶରେ କରୋନାର ସମୁଦାୟ ୭,୬୨,୫୭୫ କେସ୍ ମିଳିଥିବା ବେଳେ ୯୧୨୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ସାଉଦି ଆରବରେ ଗତ ୨୪ ଘଣ୍ଟାରେ କରୋନାରୁ ୪୭୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଦେଶରେ ୬୪୪୮ ଆକ୍ଟିଭ କେସ୍ ଅଛି।
ଦେଶରେ କରୋନା ସ୍ଥିତି ଏବେ ଗମ୍ଭୀର ଥିବା ବେଳେ ମଙ୍କିପକ୍ସର ଗୋଟିଏ ବି ମାମଲା ସାମନାକୁ ଆସି ନ ଥିବା ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏନେଇ ଦେଶର ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ଅବଦୁଲ୍ଲା ଅସିରି କହିଛନ୍ତି, ଦେଶ ନିକଟରେ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରି ପାରିବାର କ୍ଷମତା ଅଛି। ଏପରି ମାମଲା ନଜରକୁ ଆସିଲେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଏ ପର୍ୟ୍ୟନ୍ତ ଏହି ଭାଇରସ ମଣିଷ ସମାଜକୁ ବ୍ୟାପିବାର ବହୁତ କମ୍ ମାମଲା ନଜରକୁ ଆସିଛି। ଏପରିକି ଯେଉଁ ଦେଶରେ ଏପରି ମାମଲା ଚିହ୍ନଟ ହୋଇଛି ସେଠାରେ ମଧ୍ୟ ଏହା ବ୍ୟାପିବା ଆଶଙ୍କା କମ୍ ଥିବା ପରି ଲାଗୁଛି ବୋଲି କହିଛନ୍ତି ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୧୧ ଦେଶରେ ମଙ୍କିପକ୍ସର ୮୦ ମାମଲା ସାମନାକୁ ଆସିଛି। ହୁ’ ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଶୁକ୍ରବାର ହୁ’ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଏହି ଭାଇରସ କିଛି ଦେଶରେ କିଛି ପଶୁଙ୍କ ଶରୀରରେ ଚିହ୍ନଟ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି।
Powered by Froala Editor
