ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକୀୟ ବିଦେଶ ସଚିବ ମାଇକ୍ ପୋମ୍ପେଓ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କର ବିଭିନ୍ନ ଦିଗ ଉପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମତ ବିନିମୟ କରିବେ। ଏଥିସହ ଦୁଇ ଦେଶ ମଧ୍ୟରେ ସଂପର୍କ କିଭଳି ସୁଦୃଢ଼ କରାଯିବ ସେ ନେଇ ମୋଦୀ ଏବଂ ପୋମ୍ପେଓଙ୍କ ମଧ୍ୟରେ ଆଲୋଚନା ହେବ। ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରଙ୍କୁ ଭେଟିବେ, ସେଥିପାଇଁ ପୋମ୍ପେଓଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହେଉଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ରୁଷ୍ ଠାରୁ ଭାରତ ଏସ୍-୪୦୦ କ୍ଷେପଣାସ୍ତ୍ର କିଣିବା, ଆତଙ୍କବାଦ, ଏଚ୍ଓ୍ଵାନ୍ବି ଭିସା, ବାଣିଜ୍ୟ ଏବଂ ଇରାନ୍ରୁ ତୈଳ ଖରିଦ ସଂକ୍ରାନ୍ତ କଟକଣା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପାଇଁ ରଖାଯାଇଛି।
