କାହିଁକି ଗଣେଶଙ୍କ ପୂଜାରେ ଲାଗେନାହିଁ ତୁଳସୀ ?

କାହିଁକି ଗଣେଶଙ୍କ ପୂଜାରେ ଲାଗେନାହିଁ ତୁଳସୀ ?

ବିଶେଷ ଖବର

ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ଦେବତା  । ଗଣେଶଙ୍କ ମହିମାକୁ ନେଇ ଅନେକ ପୌରାଣିକ ଆଖ୍ୟାନ ରହିଛି  । ମୂଷା କେମିତି ଗଣେଶଙ୍କ ବାହାନ ହେଲେ, ଗଣେଶଙ୍କ ମୁଣ୍ଡ କିଭଳି ହାତୀମୁଣ୍ଡ ହେଲା, ତାଙ୍କର ଦାନ୍ତ କେମିତି ଭାଙ୍ଗିଲା, ଆଦି ସମ୍ପର୍କରେ ପୁରାଣରେ ସବିଶେଷ ବର୍ଣ୍ଣନା ରହିଛି  । ଠିକ ସେହିଭଳି ଗଣେଶ ଓ ତୁଳସୀଙ୍କୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି  । ମିଥିଳାର ରାଜା ଧର୍ମଧ୍ୱଜଙ୍କ କନ୍ୟା ହେଉଛନ୍ତି ତୁଳସୀ  । ଭଲ ବର ପାଇବା ପାଇଁ ସେ ତପସ୍ୟା କରୁଥିଲେ  । ଦିନେ ସେ ଗଣେଶଙ୍କ ନିକଟରେ ପହଁଚି ତାଙ୍କୁ ବିବାହ କରିବା ପାଇଁ ଅନୁରୋଧ କଲେ  । ତେବେ ଗଣେଶ କହିଥିଲେଯେ, ବିବାହ ଯୋଗୁଁ ତାଙ୍କ ତପସ୍ୟାରେ ପ୍ରତିବନ୍ଧକ ହେବ  । ଏଣୁ ଅନ୍ୟ ପତି ନିର୍ବାଚନ କରିବା ପାଇଁ ସେ ଅନୁରୋଧ କରିଥିଲେ  । କିନ୍ତୁ ତୁଳସୀ ରାଗରେ ତାଙ୍କୁ ଅଭିଶାପ ଦେଇଥିଲେ  । ଗଣେଶ ବୈବାହିକ ଜୀବନଯାପନ କରିବେ ବୋଲି ସେ ଅଭିଶାପ ଦେବାରୁ ଗଣେଶ ବି ରାଗିଯାଇ ପାଲଟା ଅଭିଶାପ ଦେଇଥିଲେ  । ତ୍ୁଳସୀ ଏକ ରାକ୍ଷାସକୁ ବାହା ହେବେବୋଲି ଗଣେଶ ଅଭିଶାପ ଦେଇଥିଲେ  । 

ଗଣେଶଙ୍କ ଅଭିଶାପରେ ତୁଳସୀ ଦ୍ୱୈତ୍ୟରାଜ ଶଙ୍ଖଚୂଡ଼ ବା ଜଳନ୍ଧରଙ୍କୁ ବିବାହ କରିଥିଲେ  । ଶଙ୍ଖଚୂଡ଼ର ବିନାଶ ପାଇଁ ନାରାୟଣ ଶଙ୍ଖଚୂଡ଼ ରୂପରେ ତୁଳସୀଙ୍କର ସତୀତ୍ୱ ହରଣ କରିଥିଲେ  । ନିଜର ସତୀତ୍ୱ ନଷ୍ଟ ହେବା କଥା ଜାଣିବା ପରେ ନାରାୟଣଙ୍କୁ ପାଷାଣ ହେବାପାଇଁ ତୁଳସୀ ଅଭିଶାପ ଦେଇଥିଲେ  । ଶଙ୍ଖଚୂଡ଼ର ବିନାଶ ହେବା ପରେ ତାହାର ଅସ୍ଥିସବୁ ସମୁଦ୍ରରେ ପଡ଼ି ଶଙ୍ଖ ହୋଇଥିଲା  । ଯାହାକି ଦେବାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହେଉଛି  । ସେହିପରି ନାରାୟଣଙ୍କୁ ତୁଳସୀ ଗୁହାରି ହେବା ପରେ ପ୍ରଭୁ କହିଥିଲେ, ତୁମର ଶରୀର ଗଣ୍ଡକୀ ନଦୀ ହେବ  । ତୁମର କେଶଗୁଡ଼ିକ ତୁଳସୀ ବୃକ୍ଷ ରୂପେ ଜନ୍ମ ହେବ  । ତୁମେ ଲକ୍ଷ୍ମୀଭଳି ମୋର ପ୍ରିୟା ହେବ  । ଗଣ୍ଡକୀ ନଦୀ ଅତି ପବିତ୍ର ହୋଇଥିଲା ଓ ତୁଳସୀ ନାରାୟଣଙ୍କର ଅତିପ୍ରିୟ ହୋଇଥିଲେ  । ତେବେ ତୁଳସୀ ତାଙ୍କ ପୂଜାରେ ଲାଗିବ ନାହିଁ ବୋଲି ଗଣେଶ ପୂର୍ବରୁ କହିଥିଲେ  । ଯେଉଁଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ଲାଗି ହୁଏନାହିଁ  ।

ଅନ୍ୟ ଏକ ଆଖ୍ୟାନ ଅନୁଯାୟୀ, ଜଳନ୍ଧର ଶିବ ରୂପେ ଯାଇ ପାର୍ବତୀଙ୍କୁ ପାଇବାକୁ ଇଚ୍ଛା କରିଥିଲେ  । ତେଣୁ ନାରାୟଣ ଜଳନ୍ଧର ରୂପେ ଯାଇ ତୁଳସୀଙ୍କ ସତୀତ୍ୱ ନାଶ କରିଥିଲେ  । ନାରାୟଣଙ୍କର ଏହି କୁକାର୍ଯ୍ୟ ସମ୍ପର୍କରେ ଜାଣିପାରି ତାଙ୍କୁ ସ୍ତ୍ରୀ ବିରହରେ ଯନ୍ତ୍ରଣା ଅନୁଭବ କରିବ ବୋଲି ଶାପ ଦେଇଥିଲେ  । ଯେଉଁଥିପାଇଁ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସୀତାଙ୍କ ବିରହ ଯନ୍ତ୍ରଣା ଅନୁଭବ କରିଥିଲେ  । 

Powered by Froala Editor