ଟିକେଟ୍‌ ପାଇଁ ଠେଲାପେଲା

ଟିକେଟ୍‌ ପାଇଁ ଠେଲାପେଲା

ରାଜ୍ୟ ଖବର

କଟକ: ବାରବାଟୀ  ଟି-୨୦ ଲାଗି ଆଜିଠାରୁ କାଉଣ୍ଟରରେ ଟିକଟେ୍‌ ବିକ୍ରି ଆରମ୍ଭ ହୋଇଛି।  ସେଥିପାଇଁ ଗତକାଲି ରାତିରୁ ଲାଗିଛି ଲମ୍ବା ଲାଇନ୍। ଆଜି ଓ ଆସନ୍ତାକାଲି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ଏଥିପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ଜଣଙ୍କୁ କେବଳ ଦୁଇଟି ଟିକେଟ୍ ବିକ୍ରି କରାଯାଇପାରିବ। ତେବେ ଏହି ଟିକେଟ୍‌ ବିକ୍ରି ଲାଗି ଆଜି ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ସଂଖ୍ୟାରେ ଲୋକ ଟିକେଟ୍‌ ଲାଗି ଧାଡ଼ିରେ ଠିଆ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇଛି।  

ପୂର୍ବରୁ ଅନ୍ଲାଇନରେ ୫ହଜାର ଟିକେଟ୍ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ହଜାର ଟିକେଟ୍ ବିକ୍ରି ହୋଇଥିଲା। ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ। ଟିକେଟ୍ କିଣିଲା ବେଳେ ଦର୍ଶକ ଯେ କୌଣସି ପରିଚୟ ପତ୍ର ଦେଖାଇ କିଣିପାରିବେ। ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଏଥିପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ୟ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ଗୁରୁତ୍ୱ ଦେଉଛି କମିଶନରେଟ ପୁଲିସ। ଆଜି ବିମାନ ବନ୍ଦରଠାରୁ ହୋଟେଲ ଏବଂ ହୋଟେଲ ଠାରୁ ବାରବାଟୀ ଷ୍ଟାଡ଼଼ିୟମ ପର୍ୟ୍ୟନ୍ତ ପୁଲିସର କାରକେଡ ରିହରସାଲ୍ ହେବ।

ହୋଟେଲ ମେ’ ଫେୟାରରେ ଖେଳାଳିଙ୍କୁ ଉଚିତ୍ ଆତିଥ୍ୟ ପ୍ରଦାନ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି। ହୋଟେଲର ସମସ୍ତ ରୁମ ୧୦ରୁ ୧୩ ତାରିଖ ପର୍ୟ୍ୟନ୍ତ ବୁକିଂ ହୋଇଛି। ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ ମାନଙ୍କଲାଗି ଲୋ କ୍ୟାଲୋରୀ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି ଆସିଛି।

ହୋଟେଲର ସମସ୍ତ କର୍ମଚାରୀ କୋଭିଡ ଗାଇଡ ଲାଇନକୁ ମାନି ସେବା ପ୍ରଦାନ କରିବେ। ଡବଲ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ୟ୍ୟରେ ଲଗାଯିବ। ଖେଳାଳିମାନେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ଏହି ହୋଟେଲ କର୍ମଚାରୀମାନଙ୍କ କୋଭିଡ ଟେଷ୍ଟ୍ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ତରଫରୁ କୁହାଯାଇଛି।

Powered by Froala Editor