ଆସିକା: ଭିଜିଲାନ୍ସ ଜାଲରେ ପଡ଼ିଗଲେ ବିଇଓ ଅଫିସର କିରାଣୀ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବସ୍ଷ୍ଟାଣ୍ଡଠାରେ ବିଇଓ ଅଫିସର କିରାଣୀ ମନୋଜ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ପାଖରୁ ୫ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗରିଫ କରିଛି।
ମନୋଜ ଅବସରପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ଇନ୍କ୍ରିମେଣ୍ଟ ପ୍ରାପ୍ୟ ବାବଦ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ପଠାଇବା ଲାଗି ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେବା ପାଇଁ ରାଜି ହୋଇ ନବଘନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ମନୋଜ ନବଘନଙ୍କୁ ଲାଞ୍ଚ ଟଙ୍କା ଆସିକା ବସ୍ ଷ୍ଟାଣ୍ଡ ନିକଟରେ ଦେବାକୁ କହିଥିଲେ।
ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ଆସିକା ବସ୍ ଷ୍ଟାଣ୍ଡ ନିକଟରେ ଛକି ରହିଥିଲେ। ବସ୍ଷ୍ଟାଣ୍ଡରେ ନବଘନଙ୍କଠାରୁ ମନୋଜ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ କର୍ମଚାରୀ ଆସିକା ବିଇଓ ଅଫିସ ଓ ବାଣୀବିହାରରେ ରହୁଥିବା ଶ୍ୱଶୁର ଘରେ ଚଢ଼ାଉ କରିଥିଲେ।
Powered by Froala Editor
