ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ରାଜ୍ୟ ଖବର

ଜଗତସିଂହପୁର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ସେଥିପାଇଁ ଷ୍ଟାଡ଼ିୟମ ପାର୍ଶ୍ବରେ ଏକାଥରକେ ୩ଟି ହେଲିକପ୍ଟର ଓହ୍ଲାଇବା ପାଇଁ ବ୍ୟବସ୍ଥା ଥିବା ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରାଯାଉଛି। ଏହାପରେ ସେଠାରେ ଦୁଇ ହଜାର ଲୋକଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବନ୍ଦର ମଧ୍ୟରେ ନିର୍ମାଣ କରାଯାଇଥିବା ଜେଏସ୍‌ଡବ୍ଲ୍ୟୁ ସମେତ ଆଉ ଏକ କମ୍ପାନିର ୪ଟି ପ୍ରକଳ୍ପ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହୋଇ ନଥିବାରୁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ଜଣା ପଡ଼ିଯିବ।ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଓସିଏଲ୍‌ ଲୋକାର୍ପଣ ଉତ୍ସବରେ ଯୋଗ ଦେବାପାଇଁ ପ୍ରଥମ ଥର ପାରାଦୀପ ଆସିଥିଲେ। ଏହା ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ବିତୀୟ ପାରାଦୀପ ଗସ୍ତ କାର୍ଯ୍ୟକ୍ରମ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ ହେବାପରେ ପ୍ରସ୍ତୁତି ପାଇଁ ଦଳୀୟସ୍ତରରେ ବୈଠକ ଡକାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଜେପି ନେତା ସମ୍ପଦ ସ୍ବାଇଁ କହିଛନ୍ତି।

Powered by Froala Editor