ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ପ୍ରତି ବଢୁଛି ପ୍ରବଳ ଆଗ୍ରହ।କେବଳ ଭାରତୀୟ ବାୟୁସେନାରେ ଭର୍ତ୍ତି ପାଇଁ ଏହି ଯୋଜନା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୫୬,୯୬୦ ଜଣ ଆବେଦନ କରିସାରିଲେଣି । ଅଗ୍ନିପଥ ଯୋଜନା ମାଧ୍ୟମରେ ବାୟୁସେନାରେ ଭର୍ତ୍ତି ପାଇଁ ଗତ ଶୁକ୍ରବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗୋଟିଏ ପଟେ ଏକାଧିକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପଟେ ଏହି ସ୍କିମ୍ ପାଇଁ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ଭାରତୀୟ ବାୟୁସେନା ପକ୍ଷରୁ ଏ ନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟ୍ବିଟ୍ କରି ବାୟୁସେନା କହିଛି, ‘୫୬୯୬୦! ଅଗ୍ନିପଥ ଯୋଜନାରେ ଭର୍ତ୍ତି ପାଇଁ ଭବିଷ୍ୟତର ଅଗ୍ନିବୀରମାନଙ୍କର ଆବେଦନର ଏହା ହେଉଛି ମୋଟ ସଂଖ୍ୟା । ଆସନ୍ତା ଜୁଲାଇ ୫ ତାରିଖରେ ପଞ୍ଜିକରଣ କରିବାର ଶେଷ ତାରିଖ ରହିଛି’ ।ଅଗ୍ନିପଥ ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ମାତ୍ର ଦୁଇଦିନରେ ପାଖାପାଖି ୫୭ ହଜାର ଆବେଦନ କରିଥିବା ବେଳେ ଏହା ଜୁଲାଇ ୫ ତାରିଖ ଯାଏଁ ଜାରି ରହିବ । ତେଣୁ ଆବେଦନକାରୀଙ୍କ ସଂଖ୍ୟା ଢେର୍ ଅଧିକ ହେବ ବୋଲି ଏଥିରୁ ସ୍ପଷ୍ଟ ହୋଇଛି ।ଜୁନ ୧୪ ତାରିଖରେ ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରେ ନିର୍ଦ୍ଧିଷ୍ଟ କିଛି ଗାଇଡଲାଇନ୍ ଜାରି କରିଥିଲେ କେନ୍ଦ୍ର ସରକାର । ଏହି ଆଧାରରେ ଦେଶର ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ୍କ ଯୁବକମାନେ ଅଗ୍ନିପଥ ଯୋଜନାରେ ଆବେଦନ କରିପାରିବେ । ସେମାନଙ୍କର କାର୍ୟ୍ୟକାଳ ରହିବ ୪ ବର୍ଷ । କାର୍ୟ୍ୟକାଳ ଶେଷ ହେବାପରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଭାରତୀୟ ବାୟୁସେନାରେ ନିୟମିତ କରାଯିବ ।ବଡ କଥା ହେଉଛି ଏହି ଯୋଜନା ଘୋଷଣା ହେବାପରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏପରିକି ଜାତୀୟ ସମ୍ପତ୍ତି ମଧ୍ୟ ନଷ୍ଟ କରାଯାଇଥିଲେ । କେତେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇବା, ପ୍ଲାଟଫର୍ମରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଏତେ ସଂଖ୍ୟକ ଆବେଦନ ମିଳିବା ପରେ ପ୍ରଶ୍ନ ଉଠୁଛି ଯେ, ଅଗ୍ନିପଥ ଯୋଜନାକୁ ବିରୋଧ କିଏ କରୁଥିଲେ ଏବଂ ଏହାର ପ୍ରଭାବ କେତେ ପଡିଲା?
Powered by Froala Editor
