ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଛି। ଜାପାନ ନାରା ସହରରେ ଏକ କାର୍ୟ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଅଜଣା ଲୋକ ଗୁଳି ମାଡ଼ କରିଥିବା ଜଣାପଡ଼ିଛି। ଏହି ଗୁଳି ମାଡ଼ରେ ସିଞ୍ଜୋ ଆବେ ଗୁରୁତର ହୋଇଛନ୍ତି। ଏନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ ପୂର୍ବରୁ ନାରା ସହରରେ ଆୟୋଜିତ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ୬୭ ବର୍ଷୀୟ ସିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ଶତାଧୀକ ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ହଠାତ୍ ଜୋରରେ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ସେଠାରେ ଉପସ୍ଥିତ ଲୋକ ପ୍ରଥମେ କିଛି ବୁଝି ପାରି ନ ଥିଲେ। ମାତ୍ର ସିଞ୍ଜୋ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଶରୀରରେ ଗୁଳି ବାଜିଥିବା ଲୋକେ ଦେଖିଥିଲେ। ପଛ ପଟୁ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିବା ଜଣାଯାଇଛି ।
ଗୁଳି ମାଡ଼ରେ ତଳେ ପଡ଼ି ଯାଇଥିବା ସିଞ୍ଜୋ ଆବେ ।
ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନର ଗଣମାଧ୍ୟମ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ଏହି ଗୁଳିମାଡ଼ ଘଟଣାରେ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ସିଞ୍ଜୋ ଆବେ ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ସେ ଜାପାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।
Powered by Froala Editor
