୨୧ରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ସୋନିଆ

୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ସୋନିଆ

ଜାତୀୟ ଖବର


ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଜେରା ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ।ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ସୋନିଆ ଗାନ୍ଧୀ ଓ ପୁଅ ରାହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ରାହୁଲ ନିର୍ଦ୍ଧାରିତ ସମୟରେ ଜେରାରେ ଅଂଶଗ୍ରହଣ କରିଥିବା ବେଳେ ସୋନିଆ ଗାନ୍ଧୀ କୋଭିଡରେ ଆକ୍ରାନ୍ତ ହେବା କାରଣରୁ ହାଜର ହୋଇନଥିଲେ । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଅନ୍ୟ ଏକ ସାନି ସମନ ଜାରି କରିଥିଲା ତଦନ୍ତକାରୀ ସଂସ୍ଥା । ସୋନିଆ ୨୧ରେ ହାଜର ହେବେ ।

ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବ । ଗତକାଲି  ଦଳ ପକ୍ଷରୁ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜୁଲାଇ ୨୧ ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଏହି ଦିନ ଦଳ ବିଜେପି ନେତୃତ୍ବାଧୀନ ଘଊଇ ମେଣ୍ଟ ସରକାରର ବିରୋଧରେ ପ୍ରତିବାଦ କରିବ ।

ବିଜେପି ସରକାର କ୍ଷମତାର ଅପବ୍ୟବହାର, ସାମ୍ବିଧାନିକ ଅନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀଙ୍କୁ ଟାର୍ଗେଟ କରାଯାଉଥିବା ଦଳ ଅଭିଯୋଗ କରିଆସିଛି । ସେହିପରି ଗାନ୍ଧୀ ପରିବାର ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ମଧ୍ୟ ରାଜନୈତିକ ଆକ୍ରୋଶ ବୋଲିି ଦଳ କହି ଆସିଛି । ଏହି ପ୍ରସଙ୍ଗରେ ଦଳ ମଧ୍ୟ ଜୁଲାଇ ୧୮ ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଗୃହରେ ମଧ୍ୟ ପ୍ରତିବାଦ କରିପାରେ ।ସୋନିଆଙ୍କୁ ସମନ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସୋନିଆ ତାଙ୍କ ଜୀବନରେ ଏପରି ବହୁତ ଘଟଣାର ସାମ୍ନା କରିଛନ୍ତି । ତେଣୁ ସେ ଆଦୌ ଭୟଭୀତ ନୁହନ୍ତି । ସେ ସଠିକ ସମୟରେ ହାଜର ହୋଇ ସରକାରକୁ ସାମ୍ନା କରିବେ । ପୁଅ ରାହୁଲଙ୍କୁ ମାରାଥନ ଜେରା ବେଳେ ମଧ୍ୟ ଦିଲ୍ଲୀ ସମେତ ଅନ୍ୟ କିଛି ସ୍ଥାନରେ କଂଗ୍ରେସ କାର୍ୟ୍ୟକର୍ତ୍ତାମାନେ ଆନ୍ଦୋଳନ କରିଥିଲେ ।

 

Powered by Froala Editor