ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଜାତୀୟ ଖବର

ନୂଆଦିଲ୍ଲୀ : ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନକୁ ନେଇ ସରକାର ଓ ବିରୋଧୀ ଦଳଗୁଡିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅଧିବେଶନ କାଳରେ ସଂସଦରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସୋମବାର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନର ମତଦାନ କେନ୍ଦ୍ରରେ ଭୋଟ ଦେବେ। ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ହେବ। ସେହିପରି ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ଅଧିବେଶନ କାଳରେ ସରକାର ୨୪ ବିଧେୟକ (ବିଲ୍‌) ଆଗତ କରିବେ।  ୨୪ଟି ନୂଆ ବିଧେୟକ ସହିତ ଗୃହର ଅନୁମୋଦନ ଅପେକ୍ଷାରେ ପଡି ରହିଥିବା ୮ଟି ବିଧେୟକକୁ ଗୃହୀତ ଲାଗି ସରକାର ଯୋଜନା ରଖିଛନ୍ତି। ଏହିପରି ମୋଟ ଉପରେ ୩୨ଟି ବିଧେୟକକୁ ଗୃହୀତ କରାଇବା ଉପରେ ସରକାର ଗୁରୁତ୍ବ ଦେବେ। ଗୃହରେ ଆଗତ ହେବାକୁ ଥିବା ୨୪ ନୂଆ ବିଧେୟକ ମଧ୍ୟରୁ ୧୪ଟି ପ୍ରସ୍ତୁତ ହୋଇସାରିଥିବାବେଳେ ଅବଶିଷ୍ଟ ୧୦ଟିକୁ ଅଧିବେଶନ କାଳରେ କ୍ୟାବିନେଟ୍ ‌ବୈଠକରେ ଆଗତ କରାଯିବ।
ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ମଧ୍ୟ ଯୋଜନା ହୋଇଛି। ମୁଦ୍ରାସ୍ଫୀତି, ତୈଳ ଦରବୃଦ୍ଧି, ଅଗ୍ନିପଥ ଯୋଜନା, ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ଟଙ୍କାର ମୂଲ୍ୟ ହ୍ରାସ ଭଳି ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ। ବିରୋଧୀ ଦଳଗୁଡିକ ପକ୍ଷରୁ କୁହାଯାଇଛି ଯେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ ଉପରେ ଚାପ ପକାଯିବ।

Powered by Froala Editor