ରାଷ୍ଟ୍ରପତି ନିର୍ବାଚନ: ବହୁ ଆଗରେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ: ବହୁ ଆଗରେ ଦ୍ରୌପଦୀ ମୁର୍ମୁ

ଜାତୀୟ ଖବର

ଭୁବନେଶ୍ୱର:  ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଗତ ୧୮ ତାରିଖ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ତାହାର ଗଣତି ଚାଲିଛି । ତେବେ ଏହା ଭିତରେ ପ୍ରଥମ ରାଉଣ୍ଡ ଫଳାଫଳ ସାମନାକୁ ଆସିଛି ।  ପ୍ରଥମ ରାଉଣ୍ଡ ସୁଦ୍ଧା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଥିବାବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଖାତାକୁ ୨୦୮ଟି ଭୋଟ ଯାଇଛି । ସେହିପରି ସମୁଦାୟ ଭୋଟରୁ ୧୫ଟି ଭୋଟ ନାକଚ ହୋଇଥିବା ଜଣାଯାଇଛି । ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବାବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧ଲକ୍ଷ୪୫ ହଜାର ୬୦୦ ବୋଲି ଜଣାଯାଇଛି । 

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବାନେଇ କାହା ମନରେ ସନ୍ଦେହ ନ ଥିବା ବେଳେ ସେ କେତେ ଭୋଟ୍‌ରେ ଜିତିବେ ତାହା ଗୁରୁବାର ଗଣତି ପରେ ହିଁ ଜଣାପଡ଼ିବ। କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏହି ଖୁସିରେ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି । ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା ପିଠା।

Powered by Froala Editor