କାହିଁକି ମନ୍ତ୍ରୀ ହେଲେନି ସୌମ୍ୟ ଓ ପ୍ରତାପ ?

କାହିଁକି ମନ୍ତ୍ରୀ ହେଲେନି ସୌମ୍ୟ ଓ ପ୍ରତାପ ?

ରାଜନୀତି

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳ ଗଠନ ହେବାର ମାସେ ବିତି ସାରିଲାଣି । ନୂଆ ମନ୍ତ୍ରୀମାନେ ନିଜ ନିଜ ବିଭାଗ ସମ୍ଭାଳିଳେଣି । ଏସବୁ ଭିତରେ କେତେକଙ୍କୁ ନବୀନ ଅପ୍ରତ୍ୟାଶିତ ଭାବେ ମନ୍ତ୍ରୀ କରିଥିବାବେଳେ ଅନ୍ୟ କେତେକ ନିଶ୍ଚିତ ଆଶାୟୀ ମନସ୍ତାପ ଦେଇ ଗତି କରୁଛନ୍ତି । ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମନ୍ତ୍ରୀମଣ୍ଡଳ ଗଠନ ପରଠାରୁ ଦୁଇ ଜଣ ନେତା ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରତାପ ଦେବ ସବୁଠାରୁ ବେଶୀ ଦୁଃଖିତ ଅଛନ୍ତି । ଏହି ଦୁଇ ନେତା ନିଶ୍ଚିତ ମନ୍ତ୍ରୀ ହେବେବୋଲି ଆଶା ବାନ୍ଧିଥିଲେ । ଏମିତିକି ଗଣମାଧ୍ୟମରେ ମଧ୍ୟ ଦୁଇ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ବିଜେଡ଼ିର ଅନେକ ନେତା ମଧ୍ୟ ଏହି ଦୁଇ ନେତା ମନ୍ତ୍ରୀ ହେବେବୋଲି ଭାବିନେଇଥିଲେ । କିନ୍ତୁ ସମସ୍ତଙ୍କ ଆକଳନ ଭୁଲ ହୋଇଥିଲା । ଅନେକ ନବାଗତଙ୍କୁ ନବୀନ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ ମଧ୍ୟ ସୌମ୍ୟ ଓ ପ୍ରତାପଙ୍କ ଉପରେ ତାଙ୍କର ନଜର ପଡ଼ିନଥିଲା । ପ୍ରତାପ ଦେବ ଗତ ୨୦୧୪ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇଥିଲେ । ଏହାକୁ ଠିକ ଢଙ୍ଗରେ ମଧ୍ୟ ସେ ତୁଲାଇ ପାରିଥିଲେ । ବିଜେପିକୁ ସେ କଡ଼ା କାଉଂଟର କରୁଥିଲେ । ଫଳରେ ତାଙ୍କୁ ଦଳ ରାଜ୍ୟସଭା ସାଂସଦ କରିଥିଲା । କିନ୍ତୁ ୨୦୧୯ରେ ସେ ବିଧାନସଭା ଲଢ଼ିବାକୁ ମନ ବଳାଇଥିଲେ । କାହିଁକିନା ଦିଲ୍ଳୀରେ ସାଂସଦ ହେଲେ କିଛି ଲାଭ ନାହିଁ । ବରଂ ବରିଷ୍ଠତା ଭିତିରେ କେନ୍ଦ୍ରାପଡ଼ାରୁ ସେ ମନ୍ତ୍ରୀ ହେବା ନିଶ୍ଚିତ ବୋଲି ଧରିନେଇଥିଲେ । ଅପରପକ୍ଷରେ ବିଜେଡ଼ିରେ ସାମିଲ ହେବାର କେଇ ଘଂଟା ମଧ୍ୟରେ ରାଜ୍ୟସଭାକୁ ଯିବାରେ ସକ୍ଷମ ହୋଇଥିଲେ ସୌମ୍ୟରଂଜନ ପଟ୍ଟନାୟକ । ତେବେ ୨୦୧୯ରେ ସେ ମଧ୍ୟ ବିଧାନସଭାକୁ ଯିବାକୁ ମନ ବଳାଇଥିଲେ । ମନ୍ତ୍ରୀ ହେବା ଆଶାରେ ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ । ରାଜ୍ୟସଭା ସାଂସଦ ହେବା ପରେ ବି ସେ ଖଣ୍ଡପଡ଼ାରେ ପୂର୍ବଭଳି ନିଜର ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ହେଳା କରିନଥିଲେ । ତେବେ ମଂଜ କଥାଟି ହେଉଛି ୨୦୧୯ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ରାଜ୍ୟ ରାଜନୀତିର ଚିତ୍ର ବଦଳି ଯାଇଥିଲା । ୨୦୧୯ରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । କଂଗ୍ରେସ ଭଲ ପ୍ରଦର୍ଶନ କଲେ ଏହା ପରୋକ୍ଷରେ ବିଜେଡ଼ିକୁ ହିଁ ସୁହାଇଥା’ନ୍ତା । କିନ୍ତୁ କଂଗ୍ରେସର ଟିକେଟ ବଂଟନରେ ଅସନ୍ତୁଷ୍ଟ ହୋଇ ଅନେକ ନେତା ଦଳ ଛାଡ଼ିବା ସହ ଟିକେଟ ଫେରାଇବାର ନୂଆ ପରମ୍ପରା ବି ସୃଷ୍ଟି ହୋଇଥିଲା । କେତେକ ଟାଣୁଆ କଂଗ୍ରେସ ନେତା ବିଜେଡ଼ି ଓ ବିଜେପିରେ ଯୋଗଦେଇଥିଲେ । ଏଭଳି ଏକ ସମୟରେ ବିଜେଡ଼ି ନିଜର ରଣନୀତିକୁ ଟିକେ ବଦଳାଇବାକୁ ବାଧ୍ୟ ହୋଇଥିଲା । ପୂର୍ବରୁ ସୌମ୍ୟ ଓ ପ୍ରତାପଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା କଥାଟି ସତ । କିନ୍ତୁ କେତେକ ରାଜନୈତିକ ଗଣିତକୁ ଆଖିଆଗରେ ରଖି ଶେଷ ମୁହୂର୍ତରେ ସେମାନଙ୍କୁ ପ୍ରାର୍ଥୀ ନହେବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଉଭୟ ସୌମ୍ୟ ଓ ପ୍ରତାପଙ୍କର ମନ୍ତ୍ରୀ ମୋହ ଥିବାରୁ ସେମାନେ ବିଧାନସଭା ଲଢ଼ିବାକୁ ଜିଦ ଧରିଥିଲେ । ଯେଉଁଥିପାଇଁ ସୌମ୍ୟଙ୍କୁ ପ୍ରାର୍ଥୀ କରିବା ନେଇ ଶେଷ ମୁହୂର୍ତରେ ନିଷ୍ପତି ନେବାକୁ ପଡ଼ିଥିଲା । ଅପରପକ୍ଷରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପ୍ରାର୍ଥୀ ହେଉଥିବାରୁ ପ୍ରତାପଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲା ବିଜେଡ଼ି । ତେଣୁ ବାଧ୍ୟହୋଇ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଗାଏମୋଟ କହିଲେ ଜିଦ କରି ଦୁଇ ନେତା ଟିକେଟ ନେଇଥିବାରୁ ବିଜେଡ଼ି ସୁପ୍ରିମୋ କିଛି ମାତ୍ରାରେ କ୍ଷୁବ୍ଧ ଥିଲେ । ଯାହାର ପ୍ରତିଫଳନ ମନ୍ତ୍ରୀମଣ୍ଡଳ ଗଠନ ବେଳେ ଦେଖିବାକୁ ମିଳିଥିଲା । ନିର୍ବାଚନପୂର୍ବରୁ ଦୁଇ ନେତା ଯେଉଁ ଜିଦ କରିଥିଲେ ନବୀନ ତାହାର ମଧୁର ପ୍ରତିଶୋଧ ନେଇଛନ୍ତି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି ।