କଂଗ୍ରେସ ସଭାପତି ରେସରେ କିଏ ?

କଂଗ୍ରେସ ସଭାପତି ରେସରେ କିଏ ?

ରାଜନୀତି

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ଆଜି ରାହୁଲ ଗାନ୍ଧି ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ଘୋଷଣା କରିବା ପରେ ପରବର୍ତ୍ତୀ କଂଗ୍ରେସ ସଭାପତି କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଗାନ୍ଧୀ ପରିବାରରୁ କେହି ଦଳ ସଭାପତି ହେବେ ନାହିଁ ବୋଲି ରାହୁଲ ପୂର୍ବରୁ ସ୍ପଷ୍ଟ କରିଦେଇଥିବାରୁ ଏବେ ପରିବାର ବାହାରୁ ୩ ଜଣ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି । ସେମାନେ ହେଲେ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରା, ପୂର୍ବ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନେ୍ଧ ଏବଂ ଗତ ଲୋକସଭାରେ ଦଳର ନେତା ରହିଥିବା ମଲ୍ଲିକାର୍ଜୁନ ଖଡଗେ । ଏହି ୩ ନେତାଙ୍କ ମଧ୍ୟରୁ କାହାକୁ ଦଳ ସଭାପତି କରିବା ପାଇଁ ଦଳ ଗୁରୁତ୍ୱର ଚିନ୍ତା କରୁଥିବା ବେଳେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଏବଂ ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ରାହୁଲଙ୍କ ପରେ ଯଦି ଯୁବ ନେତୃତ୍ୱ ହାତରେ ଦଳର ସଭାପତି ପଦ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେବ ତା ହେଲେ ଏଥିପାଇଁ ସଚିନ ସମସ୍ତଙ୍କଠାରୁ ଆଗରେ ରହିବେ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ଗାନ୍ଧି ପରିବାର ସହ ଅତି ଘନିଷ୍ଠ ଗୁଲାମନବୀଙ୍କୁ ମଧ୍ୟ ତାଙ୍କର ଅଭିଜ୍ଞତା ଏବଂ ସାଂଗଠନିକ ଦକ୍ଷତା ପାଇଁ ଦଳର ସଭାପତି ପଦରେ ଆସୀନ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଜି ଗଣମାଧ୍ୟମରେ ରାହୁଲଙ୍କ ଇସ୍ତଫା ଘୋଷଣା ପରଠାରୁ ପରବର୍ତ୍ତୀ ସଭାପତି ପଦ ପାଇଁ ଯେଉଁ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ମୋତିଲାଲ ଭୋରା । ତେବେ ଭୋରାଙ୍କୁ ଏବେ ୯୦ ବର୍ଷ ହୋଇଥିବାରୁ ତାଙ୍କୁ ସଭାପତି କରାଯିବା କେତେ ଦୂର ଯୁକ୍ତିଯୁକ୍ତ ହେବ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।