ଗୁଣି ଗାରେଡ଼ି ସନ୍ଦେହ ଉଜାଡ଼ିଦେଲା ପରିବାର,  ବାପା ମୃତ ୨ ପୁଅ ଗୁରୁତର

ଗୁଣି ଗାରେଡ଼ି ସନ୍ଦେହ ଉଜାଡ଼ିଦେଲା ପରିବାର, ବାପା ମୃତ ୨ ପୁଅ ଗୁରୁତର

ରାଜ୍ୟ ଖବର

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହ ଉଜାଡ଼ିଦେଲା ପରିବାର। ରାତି ଅଧରେ ଘରୁ ବାପ ଓ ୨ ପୁଅଙ୍କୁ ଟାଣି ଆଣି ନିର୍ଧୂମ ପିଟିଲେ ଗାଁ ଲୋକେ । ଗୁରୁତର ୨ ପୁଅ ଖସି ପଳାଇଥିବା ବେଳେ ଘଟଣାସ୍ଥଳରେ କିନ୍ତୁ ଜୀବନ ହାରିଛି ବାପା । ଗୁରୁତର ୨ ପୁଅ ଏବେ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଦଇ ମାଝି ।
ଗତକାଲି ରାତିରେ ଘରେ ଦଇ ମାଝି, ସ୍ତ୍ରୀ ଓ ଦୁଇ ପୁଅ ଥିବା ବେଳେ ସେମାନେ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୨ଟା ପରେ ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ କବାଟ ଭାଙ୍ଗି ବାପ ଓ ୨ ପୁଅଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ। ଏହାପରେ ସେମାନେ ୩ ଜଣଙ୍କୁ ଗାଁ ମଝିରେ ବାନ୍ଧି ଦେଇ ନିର୍ଧୂମ ପିଟିଥିଲେ। ତୁମେମାନେ ଗୁଣିଗାରେଡ଼ି କରୁଥିବାରୁ ଅକାଳରେ ଗାଁର ବହୁ ଲୋକ ଜୀବନ ହାରୁଛନ୍ତି ବୋଲି କହିଥିଲେ। ଏହା ମଧ୍ୟରେ ୨ ପୁଅ ଖସି ଦୌଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଦଇ ମାଝି କିନ୍ତୁ ଖସି ପାରି ନ ଥିଲେ। ଫଳରେ ଗ୍ରାମବାସୀଙ୍କ ନିର୍ୟାତନା ସହି ନ ପାରି ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।
ଗୁରୁତର ୨ ପୁଅ ଟିକିରି ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ କରି ଜଣଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ଗ୍ରାମରେ ଏକ ପ୍ରଭାର ଭୟର ବାତାବରଣ ଖେଳି ଯାଇଛି।

Powered by Froala Editor