ଭୁବନେଶ୍ୱର : ଗାଁ ଭିଟାମାଟି ଛାଡି ପୁରୀ ଜିଲ୍ଲା କାକଟପୁରରୁ ଭୁବନେଶ୍ୱର ଆସିଥିଲେ କୈଳାସ ଚନ୍ଦ୍ର ସ୍ୱାଇଁ । ବସ୍ତିରେ ଛୋଟ ଚାଳ ଘରେ ରହି ସିଆରପି ଛକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ପରିବାରରେ ଅନେକ ସମସ୍ୟା । ତା’ପରେ କେବେ ହେଲେ ବି ଝିଅର ପାଠପଢା ପାଇଁ ହେଳା କରି ନାହାନ୍ତି । ବହି ଯୋଗାଇବା ଠାରୁ ଆରମ୍ଭ କରି ଟିଉସନ୍ ପାଇଁ ଅର୍ଥ ଯୋଗାଣ ପର୍ଯ୍ୟନ୍ତ ସବୁଥିରେ ବାପା ସହଯୋଗ କରିଥିଲେ । ଝିଅ ବି ବାପାଙ୍କ କଷ୍ଟକୁ ଅନୁଭବ କରି ପାଠପଢାରେ ଲାଗି ପଡିଥିଲେ । ଶେଷରେ ଆଜି ଉଭୟ ବାପା ଓ ଝିଅଙ୍କର ସ୍ୱପ୍ନ ସାକାର ହୋଇଛି । ବାପାଙ୍କ ଶ୍ରମ ଓ ଆଶା ଭରସାକୁ ସାର୍ଥକ କରିଛନ୍ତି ରୁବିରାଣୀ ସ୍ୱାଇଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଦ୍ୱାରା ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୧୯ ନମ୍ବର ରଖି ବିଜୁ ପଟ୍ଟନାୟକ କଲେଜ ଅଫ୍ ସାଇନ୍ସ ଆଣ୍ଡ ଏଜୁକେସନ୍ କଲେଜର ଟପର୍ ହୋଇଛନ୍ତି ।
ନୂଆପଲ୍ଲୀ ନୀଳକଣ୍ଠ ବସ୍ତିରେ ରହୁଥିବା କୈଳାସଙ୍କ ଝିଅର ଏହି ସଫଳତାକୁ ନେଇ ଆଜି କଲେଜଠାରୁ ବସ୍ତି ପର୍ଯ୍ୟନ୍ତ ସବୁଠି ଖୁସି ଖେଳି ଯାଇଛି । ରୁବିରାଣୀ କହିଛନ୍ତି ଯେ କରୋନା ସମୟରେ ବାରମ୍ବାର ଦୋକାନ ବନ୍ଦ ହୋଇଥିଲା । ମାତ୍ର ମୋ ପାଠପଢା ବ୍ୟାହତ ହେବାକୁ ଦେଇ ନ ଥିଲେ । ଆଗକୁ ଏମବିଏ ପଢି ଭଲ କମ୍ପାନୀରେ ଚାକିରୀ କରିବା ସହ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
Powered by Froala Editor
