ଭୁବନେଶ୍ୱର : ବିନୋଦ କାମ୍ବଲି ଓ ସଚିନ ତେନ୍ଦୁଲକରଙ୍କ ବନ୍ଧୁତ୍ୱ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ସ୍କୁଲ ମ୍ୟାଚରେ ରେକଡର଼୍ ସୃଷ୍ଟି କରି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ଉଭୟଙ୍କ ରେକଡର଼୍ ବହୁ ଦିନ ଧରି କାଏମ ରହିଥିଲା । ତେବେ ଦୁଇ ବନ୍ଧୁ ଏକା ସମୟରେ କ୍ୟାରିୟର ଆରମ୍ଭ କରିଥିଲେ ବି ସଚିନ କ୍ରିକେଟର ଭଗବାନ ପାଲଟି ଯାଇଥିଲେ । ଅପରପକ୍ଷରେ ଭଲ ବ୍ୟାଟିଂ ଦକ୍ଷତା ସତ୍ୱେ ନିଜର ବିଶୃଙ୍ଖଳିତ ଜୀବନ ପାଇଁ କାମ୍ବଲି କିନ୍ତୁ ଅଧାରୁ ଅଟକି ଯାଇଥିଲେ ।
ଏବେ ସଚିନ ହଜାର ହଜାର କୋଟିର ମାଲିକ ହୋଇଥିବାବେଳେ ବନ୍ଧୁ କାମ୍ବଲି ମାସକୁ ମାତ୍ର ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଦିନକୁ ହଜାରେ ଟଙ୍କାରେ ଚଳିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ତେଣୁ ସେ ଏବେ ସାହାଯ୍ୟ ଭିକ୍ଷା କରୁଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏସନ ତାଙ୍କୁ କାମ ଦେଉ ବୋଲି କାମ୍ବଲି ଚାହୁଁଛନ୍ତି । ଅପରପକ୍ଷରେ ବନ୍ଧୁ ସଚିନ ତାଙ୍କୁ ଅତୀତରେ ସାହାଯ୍ୟ କରିଥିଲେ । ଏବେ ତାଙ୍କ ଠାରୁ ସାହାଯ୍ୟ ମିଳିବ ବୋଲି ସେ ଆଶା ରଖୁନାହାନ୍ତି ବୋଲି କାମ୍ବଲୀ କହିଛନ୍ତି । ବନ୍ଧୁଙ୍କର ଏଭଳି ଦୁର୍ଦ୍ଦିନ ସମୟରେ ସଚିନ ତାଙ୍କୁ ସାହାଯ୍ୟ କରିବେ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ଦରଦୀ ସଚିନ ତାଙ୍କୁ ସହାୟତାର ହାତ ବଢ଼ାଇବେ ବୋଲି ଆଶା କରାଯାଉଛି ।
Powered by Froala Editor
