ସୁବର୍ଣ୍ଣରେଖା ବନ୍ୟା : ୨୦୦୮ଠୁ ଅଧିକ ପ୍ରଭାବ ପଡ଼ିବ

ସୁବର୍ଣ୍ଣରେଖା ବନ୍ୟା : ୨୦୦୮ଠୁ ଅଧିକ ପ୍ରଭାବ ପଡ଼ିବ

ରାଜ୍ୟ ଖବର

ଭୁବନେଶ୍ୱର:  ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ସମ୍ଭାବନା ରହିଛି ବୋଲି  କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ୨୦୦୮ରେ ସୁବର୍ଣ୍ଣରେଖାରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ ବୋଲି ଏସ୍‌ଆର୍‌ସି ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି, ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି।  ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏହି ସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ୟ୍ୟନ୍ତ ରହିବ। ପ୍ରବଳ ବନ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ପର୍ୟ୍ୟନ୍ତ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ । କିଛି ସ୍ଥାନରେ ଏହାର ଜଳସ୍ତର ଖସିବା ଆରମ୍ଭ କରିଛି। ତେଣୁ ବୁଢ଼ାବଳଙ୍ଗ ରେ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି।

ଏସ୍‌ଆର୍‌ସି କହିଛନ୍ତି, ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ରହିଛି। ଏକ ମିଟର ଅଧିକ ଉଚ୍ଚରେ ସେଠାରେ ପାଣି ଅତିକ୍ରମ କରୁଛି। ଆଉ କିଛି ସମୟ ପରେ ସେଠାରେ ପାଣି ଖସିବା ଆରମ୍ଭ ହେବ। କାଣୀ ନଦୀ ରେ ହୋଇଥିବା ଘାଇ ମରାମତି ହୋଇ ପାରିନ ଥିଲା। ତେଣୁ ପୁଣି ବନ୍ୟା ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି। ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖିଛୁ। ସେହିଭଳି ବ୍ରାହ୍ମଣୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Powered by Froala Editor