ଭୁବନେଶ୍ୱର : ‘ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ। ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ।’ ରବିବାର ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା।
ଏସ୍ଆର୍ସି କହିଛନ୍ତି, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବ। କିନ୍ତୁ ଆମର ପ୍ରାଥମିକତା ହେଉଛି ଯେମିତି ଏଥିରେ କାହାରି ଜୀବନ ନଯିବ।
ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍ଆର୍ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ୟ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ୟ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି।
ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍ଆର୍ସି। ସେ କହିଛନ୍ତି, ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ।
Powered by Froala Editor
