ନବୀନଙ୍କୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ କହିଲେ ଜୟନାରାୟଣ

ନବୀନଙ୍କୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ କହିଲେ ଜୟନାରାୟଣ

ରାଜ୍ୟ ଖବର

ଭୁବନେଶ୍ବର: ନବୀନ ପଟ୍ଟନାୟକ ଏନ୍‌ଡିଏରେ ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ପୁଣି ଏନ୍‌ଡିଏରେ ସାମିଲ୍‌ ହେଲେ ଭଲରେ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ। ଅଠାୱଲେଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍‌ ଧରିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ନବୀନଙ୍କୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ। ଅଠାୱଲେଙ୍କ ଦଳ ଏନ୍‌ଡିଏର ଏକ ସହଯୋଗୀ ଦଳ। ସେ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ।


ଏହା ବିଜେପିର ଆଭିମୁଖ୍ୟ ନୁହେଁ। ସେହିପରି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆମର ଆଭିମୁଖ୍ୟ ସ୍ପଷ୍ଟ। ଆମ ଦଳର କିଛି ସ୍ବତନ୍ତ୍ରତା ରହିଛି। ଏବେ କେବଳ ରାଜ୍ୟ ଓ ‌ଦେଶର ସ୍ବାର୍ଥ କ୍ଷେତ୍ରରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରୁଛି। ଏପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ବିଜେଡି ଓ ବିଜେପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ବିଜେଡି ୯ ବର୍ଷ କାଳ ବିଜେପି ସହ ଥିଲା। ବିଜେଡି ଶକ୍ତିଶାଳୀ ହେବା ପରେ ବିଜେପିଠାରୁ ଅଲଗା ହୋଇଥିଲା। ଏବେ ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଛନ୍ତି। ବୁଝାମଣାରେ ସେମାନଙ୍କର ଅଘୋଷିତ ମେଣ୍ଟ ଚାଲିଛି।

Powered by Froala Editor