ଭୁବନେଶ୍ୱର : ଆଉ ୧୦ ଦିନ ପରେ ପାଟକୁରା ନିର୍ବାଚନ । ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ଚକ୍ରବୁ୍ୟହ ରଚିଛି ବିଜେଡ଼ି । ମାଳମାଳ ମନ୍ତ୍ରୀ, ପୁଞ୍ଜାପୁଞ୍ଜା ବିଧାୟକଙ୍କୁ ଟାର୍ଗେଟ ଖଞ୍ଜି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅପରପକ୍ଷରେ ବିଜେପି ମଧ୍ୟ ବିଜେଡ଼ିକୁ କାଉଂଟର କରିବା ପାଇଁ ଚକ୍ରବୁ୍ୟହ ରଚିଛି । ଗତ ଲୋକସଭା ନିର୍ବାଚନରେ ପାଟକୁରାରେ ବିଜେପିର ସଫଳତା ବିଜୟଙ୍କୁ ବିଜୟୀ କରିବ ବୋଲି ଦଳ ଅଙ୍କ କଷିଛି । ତେବେ ଆଶ୍ଚର୍ଯ୍ୟର କଥା କେନ୍ଦ୍ରପଡ଼ା ବିକାଶର ସାରଥୀ ବୋଲି ପ୍ରତ୍ୟକ୍ଷ ଓ ପରୋକ୍ଷରେ କହୁଥିବା ବୈଜୟନ୍ତ ପଣ୍ଡାଙ୍କର କିନ୍ତୁ ଦେଖା ନାହିଁ । ଯାହାକୁ ନେଇ ଅନେକ ଅନୁତରିତ ପ୍ରଶ୍ନ ଉଙ୍କିମାରିଛି । ନବୀନଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଥିଲେ ବୈଜୟନ୍ତ । ନବୀନଙ୍କୁ ପାନେ ଦେବା ପାଇଁ ସାରା ରାଜ୍ୟ ଘୂରି ବୁଲି ଚା’ ପିଆଇବାରେ ହେଳା କଲେନାହିଁ । ହେଲେ ନବୀନ ହଟିବେ କ’ଣ, ନିଜେ ଲୋକସଭାକୁ ମଧ୍ୟ ଯାଇପାରିଲେନି । ନବାଗତ ନେତା ଅନୁଭବ ମହାନ୍ତିଙ୍କ ଠାରୁ ଅନୁଭବୀ ବୈଜୟନ୍ତ ହାରିଗଲେ । ଖାଲି ସେତିକିନୁହେଁ କେନ୍ଦ୍ରାପଡ଼ାରେ ଗୋଟିଏ ବି ଆସନ ବି ଦଳ ହାତେଇ ପାରିଲାନାହିଁ । ଆଳି, ରାଜନଗର ଆଉ କେନ୍ଦ୍ରାପଡ଼ାରେ ବିଜେପିକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା । ଅବଶ୍ୟ ନିଜସ୍ୱ ଲୋକପ୍ରିୟତା, ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ଓ କଂଗ୍ରେସର ଦୁର୍ବଳତା ଯୋଗୁଁ ବୈଜୟନ୍ତ କେତେକ ନିର୍ବାଚନମଣ୍ଡଳୀରେ ଭଲ ଭୋଟ ପାଇବାରେ ସମର୍ଥ ହୋଇଥିଲେ । ବିଶେଷକରି ପାଟକୁରାରେ ବୈଜୟନ୍ତଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା । ଯାହାର ଶ୍ରେୟ ନିଶ୍ଚିତ ଭାବେ ବିଜୟ ମହାପାତ୍ରଙ୍କ ପାଖକୁ ଯିବ । ବିଜେପିରୁ ଆଡ଼ରୁଷା ଦେଇ ଦଳ ଛାଡ଼ିଥିବା ବିଜୟ ପରବର୍ତୀ ସମୟରେ ବୈଜୟନ୍ତ ଓ କନକବର୍ଦ୍ଧନ ବହୁ ବୁଝାଶୁଝା କରିବାରୁ ପୁଣି ଦଳକୁ ଫେରିଥିଲେ । ଧିରେଧିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଥିବା ମତାନ୍ତର ଦୂର ହୋଇଯାଇଥିଲା । ଧର୍ମେନ୍ଦ୍ରଙ୍କ ସହ ବିଜୟଙ୍କ ସମ୍ପର୍କ ନିଘନ ହେବାରେ ଲାଗିଥିଲା । ଦିଲ୍ଲୀରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ ପାଟକୁରା ନିର୍ବାଚନ ନେଇ ଅଙ୍କ କଷିଥିଲେ ବିଜୟ । ତେବେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବୈଜୟନ୍ତ । ଧର୍ମେନ୍ଦ୍ରଙ୍କ ହାତ ଛାଡ଼ି ତାଙ୍କ ସହ ଯିବାକୁ ପରୋକ୍ଷରେ ବୈଜୟନ୍ତ ଇଙ୍ଗିତ ଦେଇଥିଲେ ବି ତାହାକୁ ଗ୍ରହଣ କରିପାରିନଥିଲେ ବିଜୟ । ସମସ୍ତଙ୍କ ସହ ମିଶି ସଂଗଠନ କରିବାକୁ ସେ ରୋକଠୋକ ଭାବେ ଜଣାଇ ଦେଇଥିଲେ । ଯାହାକି ବୈଜୟନ୍ତଙ୍କୁ ବହୁ ବାଧିଥିବା ଜାଣିବାକୁ ମିଳିଛି । ପାଟକୁରା ପାଇଁ ବିଜେପି ଦଳୀୟ କାର୍ଯ୍ୟାଳୟ ହେଉକି କେନ୍ଦ୍ରାପଡ଼ାରେ ହେଉ ଅନେକ ସମୀକ୍ଷା ବୈଠକ କରିଛି । ହେଲେ ବୈଜୟନ୍ତଙ୍କର ଉପସ୍ଥିତି ଦେଖିବାକୁ ମିଳିନାହିଁ । ବିଜୟଙ୍କ ପାଇଁ ଧର୍ମେନ୍ଦ୍ର, ପ୍ରତାପ ଷଡ଼ଙ୍ଗୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାରର ମଙ୍ଗ ଧରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । କିନ୍ତୁ ବୈଜୟନ୍ତଙ୍କର କୌଣସି ସୋରଶବ୍ଦ ଶୁଣିବାକୁ ମିଳିନାହିଁ । ସବୁଠାରୁ ବଡ଼ କଥା ହେଉଛି ଏବେ ବିଜୟଙ୍କ ପାଇଁ ଅଂଟା ଭିଡ଼ିଛନ୍ତି ଧର୍ମେନ୍ଦ୍ର । ନିର୍ବାଚନ ପାଇଁ ସମସ୍ତ ପ୍ରକାର ବଳ ମଧ୍ୟ ସେ ବିଜୟଙ୍କୁ ଯୋଗାଇ ଦେଉଛନ୍ତି । ଏସବୁ ଭିତରେ ବୈଜୟନ୍ତଙ୍କ ଅନୁପସ୍ଥିତି ଏବେ ବିଜେପି କର୍ମୀଙ୍କୁ କ୍ଷୁବ୍ଧ କରିଛି । ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ବିଜେପି ପାଇଁ ମଧ୍ୟ ସେତିକି ସମ୍ମାନର ପ୍ରଶ୍ନ । ବିଶେଷକରି ବିଜୟ ମହାପାତ୍ରଙ୍କୁ ବିଜୟୀ କଲେ ବୈଜୟନ୍ତଙ୍କ ପରାଜୟ ଗ୍ଲାନିବି ଲାଘବ ହୋଇପାରିବ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତପୋଷଣ କରନ୍ତି । ଏସବୁ ଭିତରେ ଦିଲ୍ଲୀ ଛାଡ଼ି କେବେ ବୈଜୟନ୍ତ ପାଟକୁରା ଫେରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
