ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ଠାରେ ଲାଗିହେବା ପାଇଁ ବଡ ଭଳିକି ଭଳି ପିଠା ତିଆରି ହୋଇ ମହପ୍ରଭୁଙ୍କ କୋଠରୋଷ ଘରେ ଥୁଆ ହୋଇଥିଲା । ଆଉ ମାତ୍ର ୨ଘଣ୍ଟା ପରେ ଭୋଗ ହୋଇଥାନ୍ତା । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ଯୁବକ ରୋଷ ଘରେ ପଶିଥିଲେ । ଦେଖିଲେ ଅନେକ ସୁଆଦଆ ପିଠା । ଲୋଭ ସମ୍ଭାଳି ପାରି ପ୍ରଥମେ କିଛି ପିଠା ଧରି ବାହାରକୁ ବାହାରୁବାବେଳେ କାର୍ଯ୍ୟରତ ସୁଆର ସେବକଙ୍କ ହାତରେ ଧରା ପଡିଲେ । ସଂପୃକ୍ତ ସେବକ ମନ୍ଦିର ସୁପରଭାଇଜରଙ୍କୁ ଜଣାଇଥିଲେ । ସୁପରଭାଇଜର ଶ୍ରୀଲିଙ୍ଗରାଜ ଥାନାରେ ଅବଗତ କରିବା ପରେ ପୋଲିସ୍ ଯୁବକ ଜଣକୁ ଉଠାଇ ନେଇଥିଲା ।
ଥାନାରେ ପୋଲିସ୍ ଜେରା କରିବାବେଳେ ଯୁବକ ଜଣକ କିଛି ସଠିକ୍ ଭାବେ କହି ନ ଥିଲେ । କେବଳ ନିଜ ନାଁ’ ଅଜୟ ଓ ସ୍ଥାନୀୟ ଅଂଚଳଳରେ ଏକ ହୋଟେଲରେ କାମ କରନ୍ତି ବୋଲି କହିଥିଲେ । ହୋଟେଲ ମାଲିକ ତାଙ୍କୁ ଖାଇବାକୁ ନ ଦେବାରୁ ଭୋକ ବିକଳରେ ମନ୍ଦିର ଭିତରକୁ ଆସି ଠାକୁରଙ୍କ ପିଠା ଖାଇଥିବା ସ୍ୱୀକାର କରିଥିଲେ । ପୁଣି କିଛି ସମୟ ପରେ ନିଜର ମତ ପରିବର୍ତ୍ତନ କରି କହିଥିଲେ ଯେ, ମୁଁ ଜଣେ ଦିନ ମଜୁରିଆ । ଖାଇବାକୁ ନ ମିଳିବାରୁ ଏଭଳି ଭୁଲ କରି ବସିଲି । ବାରମ୍ବାର ମତ ବଦଳାଉଥିବାରୁ ସେ ମାନସିକ ରୋଗୀ ବୋଲି ପୁଲିସ୍ ସନ୍ଦେହ କରୁଛି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ମନ୍ଦିର କାର୍ଯ୍ୟାଳୟ କର୍ତ୍ତୃପକ୍ଷ । ଏନେଇ ମନ୍ଦିର କାର୍ଯ୍ୟାଳୟ ତରଫରୁ ଥାନାରେ ଏତଲା ଦିଆଯାଇଛି । ଅମୁଣିଆଁ ଅଇଁଠା ହେବାରୁ ଅବଶିଷ୍ଟ ପିଠା ନଷ୍ଟ କରି ଦିଆଯାିଥିଲା । ପରେ ଆଉ ଥରେ ପିଠା ତିଆରି କରି ଶ୍ରୀଜିଉଙ୍କ ଠାରେ ଭୋଗ ଲାଗି କରାଯାଇଥିଲା । ଫଳରେ ନୀତି ବିଳମ୍ବ ହୋଇଥିଲା ।
Powered by Froala Editor
