ଭୁବନେଶ୍ୱର: ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଆମେ ରୋଗାଗ୍ରସ୍ତ ହୋଇଥାଉ । କିନ୍ତୁ ଯେ କୌଣସି ଋତୁ ହେଉନା କାହିଁକି ଠିକ ସମୟରେ ସୁସ୍ଥକର ଖାଦ୍ୟ ଖାଇ ଆମେ ସୁସ୍ଥ ରହି ପାରିବା । ଏହା ସହିତ ଆମ ସୁସ୍ଥତା ଉପରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସୂର୍ଯ୍ୟକିରଣ । ଗାଁ ହେଉକି ସହର ସବୁଠି କୋମଳ ଶିଶୁଙ୍କୁ ସକାଳର କଅଁଳିଆ ସୂର୍ଯ୍ୟକିରଣରେ ଶୁଆନ୍ତି । ଏଥିରୁ ଶିଶୁକୁ ଭିଟାମିନ ଡ଼ି ମିଳିଥାଏ । ସେହିପରି କେବଳ ଶିଶୁଙ୍କ ପାଇଁ ନୁହେଁ ବଂର ସମସ୍ତଙ୍କ ପାଇଁ ସୂର୍ଯ୍ୟକିରଣର ଆବଶ୍ୟକତା ରହିଥାଏ ।
କାରଣ ଅନେକଙ୍କଠାରେ ଗୋଡ଼ହାତ ବିନ୍ଧାବିନ୍ଧି, ଥଣ୍ଡାଜନିତ ରୋଗ ଆଦି ହେବାର ସମସ୍ୟା ଦେଖାଯାଇଥାଏ। ସେଥିପାଇଁ କିଛି ସମୟ କଅଁଳ ଖରାରେ ବସିବା ଜରୁରୀ। ଏହାଦ୍ୱାରା ଶରୀରକୁ ଭିଟାମିନ୍ ଡି ପ୍ରଚୁର ମାତ୍ରାରେ ମିଳିଥାଏ, ଯାହାକି ମାଂସପେଶୀ ଏବଂ ଅସ୍ଥିଗୁଡ଼ିକୁ ମଜଭୁତ୍ ରଖିବାରେ ବେଶ୍ ସହାୟକ ହୋଇଥାଏ। ସେହିପରି ଯେଉଁମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ କିମ୍ବା ଯେଉଁମାନଙ୍କର ଥଣ୍ଡା ଦେହ, ସେମାନେ ପ୍ରତିଦିନ କିଛି କିଛି ସମୟ କଅଁଳ ଖରାରେ ବସିଲେ ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇଥାନ୍ତି।
ଅନ୍ୟପକ୍ଷେ ଭାରାକ୍ରାନ୍ତ ମନକୁ ହାଲ୍କା କରିବାରେ ବି ସୂର୍ଯ୍ୟକିରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ପ୍ରତିଦିନ ସମ୍ଭବ ନ ହେଲେ ବି ସପ୍ତାହରେ ୩/୪ ଦିନ ସକାଳେ ହେଉ ଅବା ଅପରାହ୍ନରେ କିଛି କିଛି ସମୟ ହାଲ୍କା ସୂର୍ଯ୍ୟକିରଣରେ ବସିଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଧ୍ୟାନ ରଖିବେ କେବେ ବି ପ୍ରଖର ସୂର୍ଯ୍ୟକିରଣରେ ଅଧିକ ସମୟ ବସିବେ ନାହିଁ; ନଚେତ୍ ଏହା ଉପକାର ହେବା ପରିବର୍ତ୍ତେ ଶରୀର ପାଇଁ କ୍ଷତିକାରକ ହୋଇଯିବ।
Powered by Froala Editor
