ନୂଆଦିଲ୍ଲୀ: ଆଜି ଐତିହାସିକ ରାଜପଥ କର୍ତ୍ତବ୍ୟପଥ ନାମରେ ନାମିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ତ୍ତବ୍ୟପଥର ଶୁଭାରମ୍ଭ କରିବେ । ଦିଲ୍ଲୀର ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ୟ୍ୟନ୍ତ ଏହି ରାସ୍ତାକୁ ସନ୍ଧ୍ୟା ୭ଟାରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଆଜି ମୋଦି ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ଇଣ୍ଡିଆ ଗେଟ୍ରେ ଅନାବରଣ କରିବେ ।
ବର୍ଷ ବର୍ଷ ହେଲାଣି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ପର୍ୟ୍ୟଟକଙ୍କ ସମାଗମ ଯୋଗୁଁ ଏହି ରାସ୍ତାର ଭିତ୍ତିଭୂମି ପ୍ରଭାବିତ ହୋଇଥିଲା । ଏଠାରେ ଶୌଚାଳୟ, ପାନୀୟ ଜଳ, ଷ୍ଟ୍ରିଟ ଫର୍ଣ୍ଣିଚର ଏବଂ ଆବଶ୍ୟକୀୟ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ନଥିଲା । ଏହାସହିତ ଲୋକଙ୍କ ଯାତାୟତକୁ ପ୍ରଭାବିତ ନ କରି ବିଭିନ୍ନ ରାଷ୍ଟ୍ରୀୟ କାର୍ୟ୍ୟକ୍ରମ ଆୟୋଜନ ପାଇଁ ଆବଶ୍ୟକୀୟ ସ୍ଥାନର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପ ଅଧିନରେ ବିକାଶମୂଳକ କାର୍ୟ୍ୟକ୍ରମ କରାଯାଇଛି । କର୍ତ୍ତବ୍ୟପଥରେ ଲ୍ୟାଣ୍ଡସ୍କେପ, ଲନ, ନବୀକରଣ କରାଯାଇଥିବା କେନାଲ, ସାଇନବୋର୍ଡ, ଉନ୍ନତ ବ୍ଲକ ଓ ଭେଣ୍ଡିଂ କିଓସ୍କ ରହିବ ।ରାଜପଥର ଉଦଘାଟନୀ ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାର ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଥିବା ମାର୍ଗର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।
Powered by Froala Editor
