କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଆବଶ୍ୟକ

କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଆବଶ୍ୟକ

ରାଜ୍ୟ ଖବର

  

ନୂଆଦିଲ୍ଲୀ: ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଛନ୍ତି। ସେ ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ହେବା ଆବଶ୍ୟକ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନୋଭେସନ୍‍ ସିଷ୍ଟମ ଏବଂ କେନ୍ଦ୍ର ଇନୋଭେସନ୍‍ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହିତ ଘରୋଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସିଏସ୍‍ଆର ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥି ପାଇଁ ଏକ କର୍ପସ୍‍ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍‍କ୍ୟୁବେସନ୍‍ ସେଂଟର ଓ ଷ୍ଟାର୍ଟଅପ୍‍ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ଟି ଷ୍ଟାର୍ଟଅପ୍‍ କାର୍ୟ୍ୟ କରୁଛି ବୋଲି ସେ କହିଥିଲେ। ଅନୁରୂପ ଭାବରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍‍ ଇନୋଭେସନ୍‍ ସେଂଟର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟର ୫୦୦ଟି ବିଦ୍ୟାଳୟରେ ଇନୋଭେସନ୍‍ ହବ୍‍ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ଟଙ୍କା ବ୍ୟୟରେ ୫୦ଟି ହବ୍‍ ଖୋଲାଯିବ ବୋଲି କହିଛନ୍ତି।

Powered by Froala Editor