ଦଳ ଛାଡ଼ିଲେ କଂଗ୍ରେସର  ୮  ବିଧାୟକ

ଦଳ ଛାଡ଼ିଲେ କଂଗ୍ରେସର ୮ ବିଧାୟକ

ଜାତୀୟ ଖବର

ପାଣାଜୀ: ଗୋଆ କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ଓ ପୂର୍ବତନ ବିରୋଧୀ ଦଳର ନେତା ମାଇକେଲ୍‌ ଲୋବଙ୍କ ସମେତ ୮ ବିଧାୟକ ବିଜେପି ସହ ଯୋଡ଼ି ହୋଇଛି। ରାଜ୍ୟରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ରହିଲେ।ପୂର୍ବତନ ବିଧାୟକ ମାଇକଲେ୍‌ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’।ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି। କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍‌ ପୁନାୱାଲା ଟ୍ବିଟ୍‌ କରି ‘ଗୋ ଗୋଆ ଗନ୍‌’ ବୋଲି ଲେଖିଛନ୍ତି।

ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ‌ହେଉଛନ୍ତି  ଦିଗମ୍ବର କମାତ, ମାଇକେଲ୍‌ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମ‌ୋନକର୍‌, ଆଲେଇକ୍ସୋ ସିକେରା ଓ ରୁଡୋଲ୍‌ଫ ଫର୍ଣ୍ଣାଡିଜ୍‌। ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି।ମୁଖ୍ୟମନ୍ତ୍ରୀ ଶାୱନ୍ତ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ମୁଁ ସ୍ବାଗତ କରୁଛି। କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। କିନ୍ତୁ ମୋତେ ଲାଗୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି।’

Powered by Froala Editor