ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ପାଇଲେ ଯୁବପିଢ଼ି ଲାଗିପଡ଼ନ୍ତି ସୋସିଆଲ ମିଡ଼ିଆରେ । ସୋସିଆଲ ମିଡ଼ିଆ ଏବେ ଏପରି ଏକ ଜରିଆ ଯେତେ ଦୂରରେ ଥିଲେ ମଧ୍ୟ ଲୋକଙ୍କୁ ବାନ୍ଧିରଖିପାରିଛି । ବର୍ତ୍ତମାନ ସମୟରେ ଫେସ୍ବୁକ୍, ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ବିଶେଷକରି ଏଥିରେ ଗ୍ରୁପ୍ କ୍ରିଏଟ୍ କରିବାର ସୁବିଧା ଏକା ସମୟରେ ସମସ୍ତଙ୍କୁ ବିଭିନ୍ନ ବାର୍ତ୍ତା ପହଞ୍ଚାଇବା କାର୍ଯ୍ୟ ସରଳ କରିଦେଇଛି। ହେଲେ ଅପରପକ୍ଷେ ଏଥିରେ ଆସୁଥିବା ବିଭିନ୍ନ ଫେକ୍ ମେସେଜ୍ଠାରୁ ଆରମ୍ଭ କରି ଅଯଥା ଫଟୋ, ଭିଡିଓ ଆଦି ଏକାଧିକ ଗ୍ରୁପ୍କୁ ପଠାଇବା ଦ୍ୱାରା ସମାଜରେ ଅନେକ ଭୁଲ୍ କଥା ପ୍ରଚାର ହେଉଥିବାର ନଜିର ରହିଛି। ତେଣୁ ଏଭଳି ଗ୍ରୁପ୍ର ଆଡ୍ମିନ୍ କିମ୍ବା ମେମ୍ବର ଥିଲେ, କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ…
ବୁଝନ୍ତୁ ଗ୍ରୁପ୍ର ଗୁରୁତ୍ୱ: କୌଣସି ସୋସିଆଲ୍ ସାଇଟ୍ରେ ନୂଆ ଗ୍ରୁପ୍ କ୍ରିଏଟ୍ କରୁଥିଲେ ଏହା ଫ୍ରେଣ୍ଡ୍, ଫ୍ୟାମିଲି, ଅଫିସିଆଲ୍ କିମ୍ବା ଅନ୍ୟ କୌଣସି କମ୍ୟୁନିଟିକୁ ନେଇ ଗଢ଼ୁଛନ୍ତି ପ୍ରଥମେ ତାହାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବୁଝନ୍ତୁ। ଏଥିରେ କାହାକୁ ନିଜ ଇଚ୍ଛାରେ ଆଡ୍ ନ କରି, କେହି ଏଥିରେ ମେମ୍ବର ହେବାକୁ ଇଚ୍ଛୁକ ବା ନୁହେଁ ଅନୁମତି ନେବା ପରେ ଆଡ୍ କରନ୍ତୁ।
ବୟସକୁ ଧ୍ୟାନରେ ରଖନ୍ତୁ: ବର୍ତ୍ତମାନ ଅଧିକାଂଶ ଫ୍ୟାମିଲି ଏବଂ ରିଲେଟିଭ୍ସ ଦୂରରେ ଥିଲେ ସୁଦ୍ଧା ଏକାଠି ରହିବା ଲାଗି ସୋସିଆଲ୍ ସାଇଟ୍ରେ ଗ୍ରୁପ୍ ଗଠନ କରୁଛନ୍ତି, ଯେଉଁଥିରେ ଗୋଟିଏ ମେସେଜ୍ କଲେ ଏକସଙ୍ଗେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାହା ଜାଣି ପାରୁଛନ୍ତି। ଯଦି ଆପଣ ଏଭଳି କୌଣସି ଗ୍ରୁପ୍ରେ ମେମ୍ବର ଅଛନ୍ତି, ତେବେ କୌଣସି ମେସେଜ୍ ସେଣ୍ଡ କରିବା ପୂର୍ବରୁ ପ୍ରଥମେ ଏଥିରେ ଥିବା ମେମ୍ବରମାନଙ୍କ ବୟସକୁ ଧ୍ୟାନରେ ରଖନ୍ତୁ।
ଆବଶ୍ୟକତା ଦେଖି କରନ୍ତୁ ମେସେଜ୍: ଫ୍ରେଣ୍ଡ୍ସ, ପ୍ରଫେସନାଲ୍ କିମ୍ବା କୌଣସି ସୋସିଆଲ୍ ଗ୍ରୁପ୍ର ମେମ୍ବର ଥିଲେ ସବୁ ମେସେଜ୍ ସବୁ ଗ୍ରୁପ୍ରେ ସେଣ୍ଡ୍ ନ କରି ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। ବିଶେଷକରି ଗ୍ରୁପ୍ରେ କାହାକୁ ମାନସିକ ଆଘାତ ଦେବା ଭଳି କୌଣସି ପୋଷ୍ଟ କରନ୍ତୁ ନାହିଁ।
କରନ୍ତୁ ମ୍ୟୁଟ୍: କେବେକେବେ ଅଫିସିଆଲ୍ ଅବା ଫ୍ୟାମିଲି ଭଳି କେତେକ ଗ୍ରୁପ୍ରେ ଇଚ୍ଛା ଥାଉ ଅବା ନ ଥାଉ ମେମ୍ବର ହେବାକୁ ପଡ଼ିଥାଏ। ଆଉ ଏଥିରେ ଆସୁଥିବା ମେସେଜ୍ ଡିଷ୍ଟର୍ବ କରୁଥିବାରୁ କେହି କେହି ଗ୍ରୁପ୍ରୁ ଲେଫ୍ଟ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ଏପରି କରିବା ଦ୍ୱାରା ସଭିଙ୍କ ମନରେ ଆପଣଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେଣୁ ଏ କ୍ଷେତ୍ରରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କିଛି ଦିନ ଲେଖାଏଁ ଏହାକୁ ମ୍ୟୁଟ୍ କରିପାରିବେ।
କରନ୍ତୁନି ଅଯଥା ମେସେଜ୍ ଫରଓ୍ବାର୍ଡ: ଅଧିକାଂଶ ଗ୍ରୁପ୍ରେ ସକାଳୁ ଉଠିବାମାତ୍ରେ ଅନେକ ଗୁଡ୍ମର୍ନିଂ କିମ୍ବା ରାତିରେ ଗୁଡ୍ନାଇଟ୍ ଫଟୋ, ଭିଡିଓଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମେସେଜ୍ରେ ଭର୍ତ୍ତି ହୋଇଯାଏ। ହେଲେ ଏହାଦ୍ୱାରା ଅନେକ ସମୟରେ ବାରମ୍ବାର ଅନାବଶ୍ୟକ ମେସେଜ ପାଇ ଗ୍ରୁପ୍ର ମେମ୍ବରମାନେ ବିରକ୍ତି ପ୍ରକାଶ କରିବା ସହ କେହି କେହି ଗ୍ରୁପ୍ରୁ ଲେଫ୍ଟ ମଧ୍ୟ ହୋଇଯା’ନ୍ତି। ତେଣୁ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ ଦେଖିବା ମାତ୍ରେ ଏହାକୁ ତୁରନ୍ତ ଯେକୌଣସି ଗ୍ରୁପ୍ରେ ଶେୟାର ନ କରି ତାହା ଗ୍ରୁପ୍ର ମେମ୍ବରମାନଙ୍କ କାମରେ ଆସିବ କି ନାହିଁ ବୁଝି ବିଚାରି ପଠାନ୍ତୁ।
ଫରଓ୍ବାର୍ଡ ପୂର୍ବରୁ କରନ୍ତୁ ଚେକ୍: ବର୍ତ୍ତମାନ ଅନେକ ଫେକ୍ ମେସେଜ୍ ସୋସିଆଲ୍ ସାଇଟ୍ରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ମେସେଜ୍ ଏକସଙ୍ଗେ ଏକାଧିକ ଗ୍ରୁପ୍ରେ ପଠାଯିବା ଦ୍ୱାରା ସମାଜରେ ଭୁଲ ଖବର ପ୍ରଚାରିତ ହେଉଛି। ତେଣୁ ଏଭଳି କୌଣସି ମେସେଜ୍ ବିଶେଷକରି ସମାଜରେ ଚାଲିଥିବା କିଛି ସମ୍ବେଦନଶୀଳ ଘଟଣାକୁ ନେଇ ମେସେଜ୍ ଆସିଲେ ଏହାକୁ ତୁରନ୍ତ ଫରଓ୍ବାର୍ଡ ନ କରି ପ୍ରଥମେ ତାହା ଠିକ୍ କି ନୁହେଁ ଜାଣିବା ପରେ ଫରଓ୍ବାର୍ଡ କରନ୍ତୁ। କାରଣ ଏଥିପାଇଁ ଫେକ୍ ମେସେଜ୍ ପଠାଇବା ଭଳି ସାଇବର କ୍ରାଇମ୍ ଲାଗି ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ଗ୍ରୁପ୍ରେ ଆଣନ୍ତୁନି ବ୍ୟକ୍ତିଗତ କଥା: ଯଦି କେବେ କୌଣସି ମେମ୍ବରଙ୍କ ସହ କୌଣସି କାରଣରୁ ମତଭେଦ ବା ଝଗଡ଼ା ହୋଇଯାଏ, ତେବେ ପର୍ସନାଲ୍ ନମ୍ବରରେ କଥା ହୁଅନ୍ତୁ। କାରଣ ବ୍ୟକ୍ତିଗତ କାର୍ଯ୍ୟ ଲାଗି ଗ୍ରୁପ୍ ବ୍ୟବହାର କରିବା ଦ୍ୱାରା ଅନ୍ୟ ମେମ୍ବରମାନେ ମଧ୍ୟ ଡିଷ୍ଟର୍ବ ହୋଇପାରନ୍ତି। ବିଶେଷକରି ଗ୍ରୁପ୍ରେ ଚାଟ୍ କରି କାହା ସହ ଝଗଡ଼ା କରିବା କିମ୍ବା କାହା ବିଷୟରେ ଏଣୁତେଣୁ ଲେଖି ସମସ୍ତଙ୍କ ଆଗରେ ପରିହାସ କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଆଞ୍ଚ ଆସିପାରେ, ସେଥିପ୍ରତି ଯତ୍ନଶୀଳ ରୁହନ୍ତୁ।
Powered by Froala Editor
