ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ୩ ବିଧାୟକ ଦାୟୀ । ରବିବାର ରାତିରେ ଦେଖିବାକୁ ମିଳିଥିବା ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ଜଣ ଅନୁଗତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଂଗ୍ରେସ। ସେମାନେ ହେଲେ ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋର, ଦଳର ମୁଖ୍ୟ ହ୍ବିପ୍ ମହେଶ ଯୋଶୀ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ଶାନ୍ତି ଧରିୱାଲ ।
ବିଧାୟକ ଦଳ ବୈଠକରେ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍ଗେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଏହି ତିନି ଅନୁଗତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।ଅଶୋକ ଗେହଲଟ ସଭାପତି ନିର୍ବାଚନ ଲଢିଲେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଗତ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିପାଇଁ ପର୍ୟ୍ୟବେକ୍ଷକ ଭାବେ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍ଗେ ସେଠାରେ ପହଞ୍ଚିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ପାଇଁ ଦୃଢ ଦାବିଦାର ଥିବା ସଚିନ ପାଇଲଟଙ୍କୁ ବିରୋଧ କରି ଗେହଲଟଙ୍କ ସେହି ତିନି ଅନୁଗତ କିଛି ବିଧାୟକଙ୍କୁ ନେଇ ଅନ୍ୟତ୍ର ସମାନ୍ତରଣ ବୈଠକ କରିଥିଲେ ।
ଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ଦଳରେ ଏପରି ବିଦ୍ରୋହକୁ ନେଇ ଗହେଲଟଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ।
Powered by Froala Editor
