ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର, ଜାଣନ୍ତୁ କ’ଣ

ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର, ଜାଣନ୍ତୁ କ’ଣ

ରାଜ୍ୟ ଖବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର । ଏଣିକି ଆଉ ରାସ୍ତାକଡ଼, ଡ୍ରେନ୍ ଅବା ଯେକୌଣସି ସ୍ଥାନରେ ଅପରିଷ୍କାର ପରିବେଶରେ ଗ୍ରାହକଙ୍କୁ ଆଉ ଖାଇବାକୁ ପଡ଼ିବ ନାହିଁ । ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ରାସ୍ତାକଡ଼, ଫୁଟପାଥ ଓ ଡ୍ରେନ ଆଦି ଉପରେ ଖୋଲୁଥିବା ଖାଇବା ଦୋକାନଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି । ରାଜଧାନୀବାସୀଙ୍କୁ ଯାତାୟତରେ ସୁବିଧା, ପରିଷ୍କାର ଖାଦ୍ୟ ଆଦି ଦେବା ଉଦ୍ଦେଶ୍ୟରେ ଏହି ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ନଦେଇ ଓ ପାର୍କିଂ ସୁବିଧା ନଥିବା ଆଦି ସ୍ଥାନରେ ଅଧିକାଂଶ ଦୋକାନୀ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଗ୍ରାହକମାନେ ରାସ୍ତାକଡ଼ରେ ଗାଡ଼ି ରଖି ଅପରିଷ୍କାର ପରିବେଶରେ ଖାଉଛନ୍ତି ତଥା ଗ୍ରାହକଙ୍କ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବିଏମସି ପକ୍ଷରୁ ଏନେଇ ନୂଆ ଗାଇଡଲାଇନ୍ ଜାରି କରାଯିବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତାଙ୍କ ବିରୁଦ୍ଧରେ ଜୋରିମାନା ରୁଜୁ ସହ ତାଙ୍କର ଟ୍ରେଡ୍ ଲାଇସେନ୍ସକୁ ରଦ୍ଦ କରାଯିବ ତଥା ରାସ୍ତାକଡ଼ରେ ଥିବା ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାସ୍ତା, ଫୁଟପାଥ୍ ଓ ଡ୍ରେନ ଉପରେ କୌଣସି ଖାଦ୍ୟ ଆଉଟଲେଟ୍ ରହିପାରିବ ନାହିଁ । ଗ୍ରାହକଙ୍କ ପାଇଁ ପର୍ୟ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥାଇ ଫୁଡ୍ ଆଉଟଲେଟ୍ ବା ଖାଦ୍ୟ ଦୋକାନୀ ଘଟଣାସ୍ଥଳରେ ଖାଦ୍ୟ ପରିବେଷଣ କରିପାରିବ ନାହିଁ । କେବଳ ଗ୍ରାହକଙ୍କୁ ପାର୍ସଲ ଖାଦ୍ୟ ଯୋଗାଇ ପାରିବ ।  ଖାଦ୍ୟ ନିରାପତ୍ତାର ସମସ୍ତ ନୀତିନିୟମକୁ ଖାଦ୍ୟ ଆଉଟଲେଟ୍ ବା ଦୋକାନୀଙ୍କୁ ମାନିବାକୁ ପଡ଼ିବ ।  ଯେଉଁ ଫୁଡ୍ ଆଉଟଲେଟ୍ ପାଖରେ ପାର୍କିଂ ପାଇଁ ପର୍ୟ୍ୟାପ୍ତ ଜାଗା ରହିଛି ସେଠାରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ଦୋକାନୀ ବାଧ୍ୟ। ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବ ଓ ସେମାନେ ନିଜ ଦୋକାନର ୫ମିଟର ବ୍ୟାସାର୍ଦ୍ଧ ଅଂଚଳକୁ ପରିଷ୍କାର ରଖିବେ ତଥା ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ସେହି ଡଷ୍ଟବିନକୁ ସଂଗ୍ରହ କରିବ । ଖାଦ୍ୟ ଦୋକାନୀରେ କାର୍ୟ୍ୟରତ କର୍ମଚାରୀମାନେ ପରିଷ୍କାର ପୋଷାକ ପିନ୍ଧିବା ସହ ମୁଣ୍ଡରେ ଟୋପି, ଦେହରେ ଆର୍ପନ, ମୁହଁରେ ମାସ୍କ ଓ ହାତ ଗ୍ଲୋବସ୍ ଲଗାଇ ଖାଦ୍ୟ ପରିବେଷଣ କରିବେ । ବିଏମସି ଦ୍ୱାରା ଘୋଷିତ ‘ନୋ ଭେଣ୍ଡିଂ ଜୋନ୍ ଅଂଚଳ’ରେ କେହି ଖାଇବା ଦୋକାନ ଖୋଲି ବ୍ୟବସାୟ କରିପାରିବେ ନାହିଁ ।

Powered by Froala Editor