ଧାମନଗର ଉପନିର୍ବାଚନ, ନାମାଙ୍କନ ଭରିବେ ରାଜେନ୍ଦ୍ର

ଧାମନଗର ଉପନିର୍ବାଚନ, ନାମାଙ୍କନ ଭରିବେ ରାଜେନ୍ଦ୍ର

ରାଜ୍ୟ ଖବର

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ବିଜେଡିରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିବା ବିଜେଡି ନେତା  ରାଜନେ୍ଦ୍ର ଦାସ ଧାମନଗର ପାଇଁ ନାମାଙ୍କନ ଭରିବେ ବୋଲି ଜଣାଯାଇଛି ।  ସ୍ୱାଧୀନ ପ୍ରାର୍ଥୀଭାବେ ଶ୍ରୀ ଦାସ ନାମାଙ୍କନ ଭରିବେ ।  କିଛି ସମୟ ପରେ ବିଜେଡି ନେତା ଶ୍ରୀ ଦାସ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରାର୍ଥିପତ୍ର ଦାଖଲ କରିବେ । ଏନେଇ ପ୍ରତିକ୍ରିୟା ରଖି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।  ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢିବି ବୋଲି ଶ୍ରୀ ଦାଶ କହିଛନ୍ତି ।  ବିଜେଡିରୁ ଟିକେଟ ନପାଇ  ଶ୍ରୀ ଦାଶ ଅସନ୍ତୁଷ୍ଟ ଥିଲେ । ଗତକାଲି ଦଳ ପକ୍ଷରୁ ରାଜେନ୍ଦ୍ରଙ୍କ ମାନଭଞ୍ଜନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଇଥିଲା । 

ମିଳିଥିବା ସୂଚନା ଅନୁସାରେ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନିର୍ବାଚନ ମଇଦାନକୁ ଆଗୁଆ ଓହ୍ଲାଇ ଦଳୀୟ ସଂଗଠନକୁ ସକ୍ରିୟ କରିବା ନିମନ୍ତେ ରାତିଦିନ ଏକ କରି ଦେଇଥିଲେ । ଏପରିକି ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠୁ ରାଜେନ୍ଦ୍ର ନିୟମିତ ଭାବେ ପ୍ରତ୍ୟେକ ଦିନ ନିର୍ବାଚନମଣ୍ଡଳୀ ବୁଲି ପ୍ରଚାର କାର୍ୟ୍ୟକୁ ଜୋରଦାର କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ମାତ୍ର ୪୬୨୫ଖଣ୍ଡ ଭୋଟରେ ପରାଜିତ ହୋଇଥିବା ରାଜେନ୍ଦ୍ର ଉପନିର୍ବାଚନରେ ଟିକେଟ୍ ପାଇବେ ବୋଲି ଦୃଢ଼ ନିଶ୍ଚିତ ଥିଲେ । ରାଜେନ୍ଦ୍ର ନିଜର ପ୍ରଚାର ଜୋରଦାର କରୁଥିବାବେଳେ ତାଙ୍କୁ ଦଳୀୟ ନେତୃତ୍ୱଙ୍କ ପକ୍ଷରୁ କୌଣସି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା ଓଲଟା ଧାମନଗରରେ ସଂଗଠନ ସୁଦୃଢ଼ କରିବାକୁ ସହଯୋଗ ମଧ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ ନକରାଇ ଦେବା ନିମନ୍ତେ ତାଙ୍କ ବିରୋଧୀ ଗୋଷ୍ଠୀ ଅଚାନକ ସକ୍ରିୟ ହୋଇଯାଇଥିଲା । ଯେଉଁଥିପାଇଁ ନିଜ ପତ୍ନୀ ଭଦ୍ରକ ସାଂସଦ ଥାଇ ମଧ୍ୟ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଚଳିତ ଉପନିର୍ବାଚନରେ ପ୍ରାର୍ଥୀ ହେବା ନିମନ୍ତେ ଗଣମାଧ୍ୟମ ଆଗରେ ନିଜର ଆଶା ବ୍ୟକ୍ତ କରିବାକୁ ପଛାଇ ନଥିଲେ ।

ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ନିମନ୍ତେ ଭଦ୍ରକ ଜିଲ୍ଲାର ଜଣେ ଯୁବ ବିଧାୟକ ନିଜ ଡାକ୍ତର ବନ୍ଧୁଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ପ୍ରସ୍ତାବ ଦେବା ସହ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ କରାଇଥିଲେ । ଏହି ଦୁଇ ‘ଡମି ପ୍ରାର୍ଥୀ’କୁ ମଇଦାନକୁ ଆଣି ରାଜେନ୍ଦ୍ରଙ୍କ ପ୍ରାର୍ଥତ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ତାଙ୍କ ବିରୋଧୀ ଗୋଷ୍ଠୀ ପୁରା ଦମରେ ଲାଗି ପଡ଼ିଥିଲା । ଆଉ ଶେଷରେ ଡାର୍କ ହର୍ସ ଭାବେ ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରାଇ ଏହି ବିରୋଧୀ ଗୋଷ୍ଠୀ ନିଜର ଚକ୍ରାନ୍ତରେ ସଫଳ ହେବା ସହ ରାଜେନ୍ଦ୍ରଙ୍କୁ ପୁଣିଥରେ କୋଣଠେସା କରାଇବାରେ ସକ୍ଷମ ହୋଇଛନ୍ତି । ମାତ୍ର ଉପନିର୍ବାଚନ ପାଇଁ ପ୍ରଚାର କାର୍ୟ୍ୟକୁ ବହୁ ଆଗକୁ ନେଇ ଯାଇଥିବା ରାଜେନ୍ଦ୍ର ପୁଣିଥରେ ପଛକୁ ଫେରିବା ମୁଡରେ ନଥିବା ଏବଂ ନିଜ ରାଜନୀତିକ କ୍ୟାରିୟର ନିମନ୍ତେ ସମର୍ଥକମାନଙ୍କ ଚାପକୁ ଦେଖି ସ୍ୱାଧୀନ ପ୍ରାର୍ଥୀ ହୋବକୁ ଚାହୁଁଥିବାରୁ ବିଜେଡି ପାଇଁ ଅଡୁଆ ବଢ଼ିଛି ।



Powered by Froala Editor