ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଶାସକ ବିଜେଡିର ପ୍ରରୋଚନାରେ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ବିଜେପିର ଅଭିଯୋଗ ପରେ ସିଇଓଙ୍କ କାର୍ୟ୍ୟାଳୟରୁ ଏକ ସ୍ପଷ୍ଟୀକରଣ ଜାରି ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ୩ ତାରିଖରେ କାର୍ୟ୍ୟସୂଚୀ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ କିଭଳି ୬ତାରିଖରେ ୨ଜଣ ବିଡିଓଙ୍କ ବଦଳି କରାଗଲା ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଏବେ ପଂଚାୟତିରାଜ ସଚିବ ଦାୟିତ୍ୱରେ ରହି ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଉପନିର୍ବାଚନକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ନେଇଥିବା ବିଜେପିର ଲିଖିତ ଅଭିଯୋଗ ପରେ ସିଇଓଙ୍କ କାର୍ୟ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସତ୍ତ୍ୱେ ବିଡିଓଙ୍କ ବଦଳି ଦ୍ୱାରା କୌଣସି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହୋଇନି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ୟ୍ୟାଳୟ ପକ୍ଷରୁ ଲିଖିତ ଭାବେ ବିଜେପିର ନାଁ ଉଲ୍ଲେଖ ନକରି କୁହାଯାଇଛି ଯେ, ଏକ ରାଜନୀତିକ ଦଳ ଆଜି ଅଭିଯୋଗ କରିଛି ଯେ, ଧାମନଗର ବିଧାନସଭା ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ସେଠାରେ କାର୍ୟ୍ୟ କରୁଥିବା ୨ଜଣ ବିଡିଓଙ୍କୁ ଦୁର୍ନୀତି ଅଭିଯୋଗରେ ବଦଳି କରାଯାଇଛି । ତେବେ ସିଇଓଙ୍କ ଅଫିସ୍ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କ ବଦଳି ହୋଇଛି । ଶ୍ରୀ ମୁର୍ମୁ ୨୦୧୮ ସେପ୍ଟେମ୍ବର ୫ରୁ ସେଠାରେ କାର୍ୟ୍ୟ କରୁଥିବାବେଳେ ଶ୍ରୀ ସାହୁଙ୍କ ଘର ଧାମନଗର ବିଧାନସଭା ମଣ୍ଡଳୀରେ ଆସୁଛି । ଜିଲ୍ଲାରେ ଏହି ଦୁଇ ଅଫିସରଙ୍କ ଉପସ୍ଥିତି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି । କାରଣ ଉପନିର୍ବାଚନ ପାଇଁ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ସହ ଜଡ଼ିତ କୌଣସି ଅଫିସର ୩ବର୍ଷରୁ ଅଧିକ ସମୟ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ରହିବା ମନା ତଥା ନିଜ ଗୃହ ଜିଲ୍ଲାରେ ବି ରହିପାରିବେ ନାହିଁ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁପାରିଶରେ ସେମାନଙ୍କର ବଦଳି ବଦଳି ଅକ୍ଟୋବର ୬ତାରିଖରେ ହୋଇଛି । ଏହା ଦ୍ୱାରା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହେଉନି ବୋଲି ସିଇଓ ଅଫିସ୍ ସ୍ପଷ୍ଟ କରିଛି ।
Powered by Froala Editor
