ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ

ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ

ରାଜ୍ୟ ଖବର


ଚଣ୍ଡିଗଡ: ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରାଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ମଧ୍ୟ ଚାଲିଛି। ଏହି କାର୍ୟ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଭିଜିଲାନ୍ସ ବ୍ୟୁରୋର ଜଣେ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଚେଷ୍ଠା କରୁଥିଲେ।

ସୂଚନା ମୁତାବକ, ସୁନ୍ଦର ଅରୋରା ଆସିଷ୍ଟାଣ୍ଟ ଇନ୍‌ସପେକ୍ଟର ଜନରାଲ ମନମୋହନ କୁମାରଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଚେଷ୍ଠା କରୁଥିଲେ। ଏଭଳି କରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ମନମୋହନ କୁମରଙ୍କ ବୟାନ ଆଧାରରେ ଏହି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ଅକ୍ଟୋବର ୧୪ ତାରିଖରେ ସୁନ୍ଦର ଶ୍ୟାମ ଅରୋରା ମନମୋହନଙ୍କୁ ଭେଟିଥିଲେ। ଭିଜିଲାନ୍ସ ଯାଞ୍ଚରୁ ବଞ୍ଚିବା ପାଇଁ ତାଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଅଫର୍ କରିଥିଲେ। ଅକ୍ଟୋବର ୧୫ରେ ଆରୋରା ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ଏବଂ ବାକି ସବୁ ପରେ ଦେବେ ବୋଲି କହିଥିଲେ। ଗତକାଲି ରାତିରେ ଯେତେବେଳେ ଆରୋରା ମନମୋହନଙ୍କୁ ଟଙ୍କା ଭର୍ତ୍ତି ଏକ ବ୍ୟାଗ ହସ୍ତାନ୍ତର କରୁଥିଲେ, ସେତେବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Powered by Froala Editor