ବନେଶ୍ବର: ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀଙ୍କୁ ଖାତିର୍ କରୁନାହାନ୍ତି ସରକାରୀ ଅଫିସର। ସ୍ଥିତି ଏମିତି ଯେ ଲୋକ ପ୍ରତିନିଧିମାନେ ସରକାରଙ୍କୁ ବିଭିନ୍ନ ସମୟରେ ଯେଉଁ ଚିଠି ଲେଖୁଛନ୍ତି, ତା’ ଉପରେ ବି କାର୍ୟ୍ୟାନୁଷ୍ଠାନ ହେଉନି। କାର୍ୟ୍ୟାନୁଷ୍ଠାନ ନେବା ଦୂରର କଥା, ପ୍ରାପ୍ତି ସ୍ୱୀକାର ସଂପର୍କରେ ମଧ୍ୟ ଅବଗତ କରାଉ ନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗର ଏଭଳି କାର୍ୟ୍ୟଧାରା ଜନପ୍ରତିନିଧିଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି। ଏନେଇ ବିଧାନସଭାରୁ ସାଂସଦ ପର୍ୟ୍ୟନ୍ତ ଜନପ୍ରତିନିଧିମାନେ ସ୍ବର ଉଠାଇବା ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ନିୟମାବଳୀ ଜାରି କରିବା ସହ ଅଫିସରମାନେ ସାଂସଦ ଓ ବିଧାୟକଙ୍କ ପ୍ରତି କିଭଳି ବ୍ୟବହାର କରିବେ ସେନେଇ ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଅଫିସର ନିୟମାବଳୀ ଉଲ୍ଲଂଘନ କରନ୍ତି ତାହାକୁ ଗୁରୁତ୍ବର ସହ ନିଆଯିବ ବୋଲି କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି। କେନ୍ଦ୍ରର ଏଭଳି ନିର୍ଦେଶକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବିଭାଗର ସଚିବଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଧରାଇ ଦିଆଯାଇଛି।
କେନ୍ଦ୍ର ସରକାର କହିଛନ୍ତି ଯେ ଜନପ୍ରତିନିଧିଙ୍କଠାରୁ ଗ୍ରହଣ କରାଯାଉଥିବା ଚିଠିଗୁଡ଼ିକୁ ସରକାରୀ ବାବୁମାନେ ଗ୍ରହଣ କରିବାକୁ ବାଧ୍ୟ। ଯଦି କୌଣସି ମନ୍ତ୍ରୀ ତଥ୍ୟ ଜାଣିବାକୁ ଚାହାଁନ୍ତି ତେବେ ଯଥାସାଧ୍ୟ ତାଙ୍କୁ ସିଧାସଳଖ ଉତ୍ତର ଦେବାକୁ ଚେଷ୍ଟା କରିବେ।
କେନ୍ଦ୍ର ସରକାର ତାଗିଦ୍ କରି ଆହୁରି କହିଛନ୍ତି ଯେ ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବା ସମୟରେ ସରକାରୀ ବାବୁମାନେ ନମ୍ର, ଭଦ୍ର, ଶିଷ୍ଟତା ଆଚରଣ କରିବେ। ସେମାନଙ୍କ କଥାକୁ ଭଲ ଭାବେ ଶୁଣିବା ସହ ସେହି ଅନୁଯାୟୀ ନିଜର ମତପୋଷଣ କରିବେ। ସାକ୍ଷାତକାର ଲାଗି ସମୟ ଦେଇ କୌଣସି କାରଣରୁ ଯଦି ଅଧିକାରୀମାନେ ସାଂସଦ ଓ ବିଧାୟକଙ୍କୁ ଭେଟି ନ ପାରନ୍ତି ସେ କ୍ଷେତ୍ରରେ ସେମାନେ ଆଉ ଥରେ ସମୟ ଧାର୍ୟ୍ୟ କରିବେ। ଅଫିସରମାନେ ସାଂସଦ ଓ ବିଧାୟକଙ୍କୁ ଫୋନ୍, ଏସ୍ଏମ୍ଏସ୍ ଓ ଇ-ମେଲ୍କୁ ଉପେକ୍ଷା କରିପାରିବେ ନାହିଁ। ସଂସଦୀୟ କ୍ଷେତ୍ରରେ ଯଦି କୌଣସି ପ୍ରକାର ସରକାରୀ ସର୍ବସାଧାରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଥିବ ତେବେ ସାଂସଦମାନଙ୍କ ବସିବା ଲାଗି ଉପଯୁକ୍ତ ବ୍ୟବସ୍ଥା ହେବା ଆବଶ୍ୟକ। ସିଟ୍ଗୁଡ଼ିକ ମଧ୍ୟରେ ଯେପରି ସମନ୍ବୟ ରହିବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ନିମନ୍ତ୍ରଣପତ୍ରରେ ସାଂସଦଙ୍କ ନାଁ ରହିବ। ଯଦି କୌଣସି ସଂସଦୀୟ କ୍ଷେତ୍ର ଏକାଧିକ ଜିଲ୍ଲାରେ ଥାଏ ସେ କ୍ଷେତ୍ରରେ ସମସ୍ତ କାର୍ୟ୍ୟକ୍ରମରେ ସାଂସଦଙ୍କୁ ଅତିଥି ଭାବେ ଡକାଯିବ। ସରକାରୀ କାର୍ୟ୍ୟକ୍ରମର ଉପଯୁକ୍ତ ତାରିଖ, ସମୟ ଓ ସ୍ଥାନ ବିଷୟରେ ଅବଗତ କରିବା ସହ ସେମାନଙ୍କର ସ୍ବତନ୍ତ୍ର ଯତ୍ନ ନେବା ଆବଶ୍ୟକ।
ଯଦି କୌଣସି ସାଂସଦ ଇଂରାଜୀ ଭାଷାରେ ପ୍ରଶ୍ନ କରିଥିବେ ଏବଂ ହିନ୍ଦୀ ଭାଷାରେ ଉତ୍ତର ଚାହୁଁଥିବେ ସେକ୍ଷେତ୍ରରେ ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ ୧୯୬୩ ଅନୁଯାୟୀ ଇଂରାଜୀର ଅନୁବାଦ କରାଯାଇ ହିନ୍ଦୀରେ ଦିଆଯାଇପାରିବ। ଅଣହିନ୍ଦୀ ଭାଷାଭାଷୀ ସାଂସଦଙ୍କ ଲାଗି ଅନ୍ୟ ଭାଷାରେ ଦେଇପାରିବେ। କୌଣସି ସରକାରୀ ଅଧିକାରୀ ନିଜ କାର୍ୟ୍ୟ ଲାଗି ସାଂସଦ ଓ ବିଧାୟକଙ୍କୁ ଅନୁରୋଧ କରିପାରିବେ ନାହିଁ।
Powered by Froala Editor
