ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବିଷୟରେ ୧୦ଟି କଥା

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବିଷୟରେ ୧୦ଟି କଥା

ଜାତୀୟ ଖବର

ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସ ପାଇଛି ଅଣଗାନ୍ଧୀ ପରିବାରର ନେତା  । ଏଆଇସିସି ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡ଼ଗେ ବାଜିମାତ କରିଛନ୍ତି  । ଶଶୀ ଥରୁରଙ୍କୁ ସେ ଏକପାଖିଆ ଭାବେ ପରାସ୍ତ କରି କଂଗ୍ରେସ ହାଇକମାଣ୍ଡ ହେବାର ସୌଭାଗ୍ୟ ପାଇଛନ୍ତି  ।

ଜଗତଜୀବନ ରାମଙ୍କ ପରେ ଦ୍ୱିତୀୟ ଦଳିତ ନେତା ଭାବେ ଖାଡ଼ଗେ କଂଗ୍ରେସର ହାଇକମାଣ୍ଡ ହୋଇଛନ୍ତି  ।

ଏସ. ନିଜଲିଙ୍ଗପ୍ପାଙ୍କ ପରେ ସେ କର୍ଣ୍ଣାଟକର ଦ୍ୱିତୀୟ ନେତା ଭାବେ ଏଆଇସିସି ସଭାପତି ହେବାର ଗୌରବ ଲାଭ କରିଛନ୍ତି  ।

ଆଇନ ମହାବିଦ୍ୟାଳୟରେ ପାଠ ପଢୁଥିବାବେଳେ ସେ ରାଜନୀତିକୁ ଆସିଥିଲେ  ।

ଶ୍ରମିକ ନେତା ଭାବେ ସୁନାମ ଅର୍ଜନ କରିବା ପରେ ଖାଡ଼ଗେ ୧୯୬୯ରେ ଗୁଲବର୍ଗ ସିଟି କଂଗ୍ରେସ କମିଟିର ସଭାପତି ହୋଇଥିଲେ  ।

ଖାଡ଼ଗେ ୧୨ ଥର ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିଥିବାବେଳେ ମାତ୍ର ଥରୁଟିଏ ପରାସ୍ତ ହୋଇଛନ୍ତି  । ୨୦୧୯ରେ ସେ ବିଜେପି ନେତା ଉମେଶ ଯାଦବଙ୍କ ଠାରୁ ପରାସ୍ତ ହୋଇଥିଲେ  । ଏକଦା ଉମେଶ ଖାଡ଼ଗେଙ୍କର ଇଲେକ୍ସନ ଏଜେଂଟ ଭାବେ କାର୍ଯ୍ୟ କରୁଥିଲେ  ।

କର୍ଣ୍ଣାଟକର ଜଣେ ଟାଣୁଆ ନେତା ହୋଇଥିଲେ ବି ସେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ  । ୧୯୯୯, ୨୦୦୪ ଓ ୨୦୧୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଚର୍ଚ୍ଚାରେ ଥିଲା  ।

ମନମୋହନ ସିଂଙ୍କ ସରକାରରେ ସେ ରେଳ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଥିଲେ  । ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି  ।

ଖାଡ଼ଗେ ନିଜକୁ ବୌଦ୍ଧ ଧର୍ମର ବୋଲି ଦର୍ଶାଇ ଆସିଛନ୍ତି  ।

ଖାଡ଼ଗେ ହିନ୍ଦୀ, ଉର୍ଦ୍ଧୁ, କନ୍ନଡ଼, ମରାଠୀ, ତେଲୁଗୁ ଓ ଇଂରାଜୀରେ କହିପାରନ୍ତି  ।

କଂଗ୍ରେସ ସଭାପତି ପଦ ପାଇଁ ଏଯାବତ ମାତ୍ର ୬ ଥର ନିର୍ବାଚନ ହୋଇଛି  । ପୂର୍ବରୁ ସର୍ବସମ୍ମତ କ୍ରମେ କଂଗ୍ରେସ ସଭାପତି ଚୟନ କରାଯାଉଥିଲା  । କିନ୍ତ ୧୯୩୯ରେ ଏହି ଟ୍ରେଣ୍ଡ ଭାଙ୍ଗିଥିଲା  । ମହାତ୍ମା ଗାନ୍ଧୀଙ୍କ ସମର୍ଥିତ ପଟାଭି ସୀତାରମୟାଙ୍କୁ ପରାସ୍ତ କରିଥିଲେ ନେତାଜୀ ସୁବାସ ଚନ୍ଦ୍ର ବୋଷ  । ତେବେ ସ୍ୱାଧୀନତା ପରବର୍ତୀ ସମୟରେ ଗାନ୍ଧୀ ପରିବାର ହାତରେ ହିଁ କଂଗ୍ରେସର ଭାଗ୍ୟ ଡୋରି ରହିଆସିଛି  । 


Powered by Froala Editor