ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ। ସେ ମାତ୍ର ୪୫ ଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।ଟ୍ରସ୍ ଇସ୍ତଫା ଦେଇଥିବାରୁ ତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ କରି ହାରିଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ଶାସନ ଭାରି ସମ୍ଭାଳିବା ସମ୍ଭାବନା ସୃଷ୍ଟି ହୋଇଛି।
ଟ୍ରସ୍ ଇସ୍ତଫା ଦେବା ପୂର୍ବରୁ ଗତକାଲି ତାଙ୍କ କ୍ୟାବିନେଟରୁ ମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାବରମନ ଇସ୍ତଫା ଦେଇଥିଲେ। ବ୍ରିଟେନରେ ବର୍ତ୍ତମାନ ରାଜନୀତିକ ଓ ଅର୍ଥନୀତିକ ସଙ୍କଟ ଦେଖାଯାଇଛି। ବିବାଦ ଯୋଗୁ ମାତ୍ର କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ଟ୍ରସଙ୍କ ଚୌକି ଟଳମଳ ହୋଇଥିଲା। ଏସବୁ ଭିତରେ ହିଁ ସୁଏଲା ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସପ୍ତାହକ ମଧ୍ୟରେ ଲିଜ୍ ଟ୍ରସଙ୍କ କ୍ୟାବିନେଟରୁ ଦ୍ୱିତୀୟ ସଦସ୍ୟ ଭାବେ ସୁଏଲା ବାହାରି ଯାଇଥିଲେ। ଅକ୍ଟୋବର ୧୪ରେ ଟ୍ରସ୍ଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା କୱାସି କୱାରଟେଙ୍ଗକୁ ପଦ ଛାଡ଼ିବାକୁ କୁହାଯାଇଥିଲା। ତାଙ୍କ ସ୍ଥାନରେ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଜେର୍ମୀ ହଣ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା।
କରୋନା ଯୋଗୁ ଦେଶର ଅର୍ଥନୀତିକ ସ୍ଥିତି ବିଗିଡ଼ି ଯାଇଛି। ଏହାକୁ ସୁଧାରିବାର ପ୍ରତିଶ୍ରୁତି ଦେଇ ଟ୍ରସ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ। ହେଲେ ସେ ଏ ଦିଗରେ କୌଣସି ପ୍ରକାରର ପଦକ୍ଷେପ ନେବାକୁ ସକ୍ଷମ ହୋଇନାହାନ୍ତି। ଏଥିପାଇଁ ତାଙ୍କ ଦଳ ସହ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ ହୋଇଥିଲା। ଏଥିପାଇଁ ଟ୍ରସ ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି।
Powered by Froala Editor
