ଲାଗିଲା ନିଆଁ, ୧୧ଜୀବନ୍ତ ଦଗ୍ଧ

ଲାଗିଲା ନିଆଁ, ୧୧ଜୀବନ୍ତ ଦଗ୍ଧ

ଜାତୀୟ ଖବର

କାମପାଲା: ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଗୋଟିଏ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସ୍କୁଲରେ ଦୃଷ୍ଟିବାଧିତ ପିଲାମାନେ ପାଠପଢ଼ନ୍ତି। ହେଲେ ଏଠାରେ ନିଆଁ ଲାଗିଯିବାରୁ ୧୧ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି।
ଉଗାଣ୍ଡା ପୁଲିସ୍‌ କହିଛି ଯେ “ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। କିନ୍ତୁ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଘଟଣାରେ ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।” ମୁକୋନୋ ଜିଲ୍ଲାରେ ଥିବା ସାଲାମା ଦୃଷ୍ଟିବାଧିତ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି। ଏହା ରାଜଧାନୀ କାମପାଲାର ପୂର୍ବ ଭାଗରେ ଅବସ୍ଥିତ।

ଘଟଣା ପରେ ସ୍କୁଲକୁ କର୍ଡନ କରାଯାଇଛି ଓ ସରକାର ଘଟଣାର ପୂର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜାଯିବ। ଯଦି କେହି ଦୋଷୀ ଚିହ୍ନଟ ହୁଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ ବୋଲି ସରକାର କହିଛନ୍ତି।

ସ୍କୁଲର ପ୍ରଧାନ ଶିକ୍ଷକ ଯିଏ ନିଜେ ମଧ୍ୟ ଦୃଷ୍ଟି ବାଧିତ କହିଛନ୍ତି, ପିଲାମାନେ ଶୋଇଥିବା ବେଳେ ଡର୍ମିଟୋରୀରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଏହାପରେ ନିଆଁ ପୂରା ସ୍କୁଲକୁ ବ୍ୟାପି ଯାଇଥିଲା ବୋଲି ସେ କହିଛନ୍ତି।

Powered by Froala Editor