ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ରାଜ୍ୟ ଖବର

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍‌ ରିଲିଜ ଜାରି କରିଛନ୍ତି ।ଆଜି ପର୍ୟ୍ୟନ୍ତ କେବଳ ଅନଲାଇନ୍‌ ପୋର୍ଟାଲ ସିଆମ୍ ଡଟ୍ ଇନ୍‌ରେ ବୁକିଂ କରିହେଉଥିଲା  ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍‌ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ।

ଏପରିକି ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା,ସେମାନଙ୍କ ପାଇଁ  ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ଥିଲା। ଏହାକୁ ନେଇ ଟେନସନ ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  ଫଳରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା।ଏହାବାଦ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ଓକାକ୍‌କୁ ଅନୁରୋଧ କରିବା ପରେ ଓକାକ୍ ପକ୍ଷରୁ ସମସ୍ତ ମୋ’ ସେବା କେନ୍ଦ୍ରରେ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଛି ।ଫଳରେ ଲୋକେ ସେଠାକୁ ଯାଇ ନିଜ ନିଜ ଗାଡିର ହାଇ ସିକ୍ୟୁରିଟି  ନମ୍ବର ପାଇଁ ପଞ୍ଜୀକରଣ କରିପାରିବେ । ତା’ ସହ ରାଜ୍ୟର ସମସ୍ତ ଆରଟିଓ ଅଫିସ୍‌ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ବୋଲି ଧାର୍ୟ୍ୟ କରାଯାଇଛି।ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଛି।



Powered by Froala Editor