ବୈଦେଶିକ ମୁଦ୍ରାଭଣ୍ଡାର ୫୨୫ ବିଲିଅନ ଡଲାରକୁ ଖସିଲା

ବୈଦେଶିକ ମୁଦ୍ରାଭଣ୍ଡାର ୫୨୫ ବିଲିଅନ ଡଲାରକୁ ଖସିଲା

ଜାତୀୟ ଖବର

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୫୨୫ ବିଲିଅନ ଡଲାରକୁ ହ୍ରାସପାଇଛି। ୨୦୨୦ ଜୁଲାଇ ୨୪ ପରବର୍ତ୍ତୀ ସମୟରେ ଏହା ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ସର୍ବନିମ୍ନ ସ୍ଥିତି ବୋଲି ଜଣାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଫରେନ କରେନ୍ସି ଆସେଟ୍‍ ପରିମାଣ ହ୍ରାସପାଇବା କାରଣରୁ ମୋଟ ଉପରେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସପାଇଥିବା କୁହାଯାଉଛି। ଚଳିତ ମାସ ୨୧ ସୁଦ୍ଧା ଫରେନ କରେନ୍ସି ଆସେଟ୍‍ ୩.୬ ବିଲିଅନ ଡଲାର ହ୍ରାସପାଇ ୪୬୫.୦୮ ବିଲିଅନ ଡଲାର ହୋଇଛି। ଆର୍ଥିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ ୨୧ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ କରେନ୍ସି ବଜାରରେ ଆର୍‍ବିଆଇର ହସ୍ତକ୍ଷେପ ଯୋଗୁ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ହ୍ରାସପାଇଛି। 

ବିଶେଷକରି ଟଙ୍କାର ମୂଲ୍ୟକୁ ସମର୍ଥନ ଯୋଗାଇଦେବାକୁ ଆର୍‍ବିଆଇ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ବିଦେଶୀ ମୁଦ୍ରାଭଣ୍ଡାର ଉପରେ ପଡ଼ିଛି। ସୂଚନାଯୋଗ୍ୟ ଯେ ଆଲୋଚ୍ୟ ସପ୍ତାହରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୩ ଟଙ୍କା ୨୯ ପଇସାକୁ ହ୍ରାସପାଇଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୪ ପ୍ରତିଶତ ଅବମୂଲ୍ୟାୟନ ହୋଇଥିଲା। ଅନ୍ୟପକ୍ଷରେ ଆମେରିକୀୟ ଡଲାର ମୂଲ୍ୟ ବିଶ୍ୱର ଅନ୍ୟ ଛଅଟି ପ୍ରମୁଖ ମୁଦ୍ରା ତୁଳନାରେ ୦.୬ ପ୍ରତିଶତ ମଜଭୁତ ହୋଇଥିଲା।



Powered by Froala Editor