ମେକ୍ ଇନ୍ ଓଡ଼ିଶା ପାଇଁ ୱେବସାଇଟ୍, ମୋବାଇଲ ଆପ୍

ମେକ୍ ଇନ୍ ଓଡ଼ିଶା ପାଇଁ ୱେବସାଇଟ୍, ମୋବାଇଲ ଆପ୍

ରାଜ୍ୟ ଖବର

ଭୁବ‌େ‌ନଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍-୨୦୨୨ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୱେବସାଇଟ୍ ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ବୃହତ୍ ସଫଳତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ୟ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶାର ଶିଳ୍ପାୟନ ଅଭିବୃଦ୍ଧି କାହାଣୀରେ ମେକ୍ ଇନ୍ ଓଡ଼ିଶା-୨୦୨୨ କିପରି ଏକ ଯୁଗାନ୍ତକାରୀ କାର୍ୟ୍ୟକ୍ରମ ହେବ, ତାହା ସୁନିଶ୍ଚିତ କରିବାକୁ ସେ ବିଭାଗଗୁଡ଼ିକୁ ଆହ୍ବାନ କରିଛନ୍ତି।


ମୁଖ୍ୟମନ୍ତ୍ରୀ କହିଥିଲେ, ନିକଟରେ ପ୍ରକାଶିତ ଇଜ୍ ଅଫ୍ ଡୁଇଁ ବିଜିନେସ ରେଟିଂରେ ଓଡ଼ିଶା ‘ଆଚିଭର’ ମାନ୍ୟତା ହାସଲ କରିଛି। ଆମ ରାଜ୍ୟର ଅଭିବୃଦ୍ଧି କାହାଣୀ ଏବଂ ନିବେଶକଙ୍କ ପାଇଁ ରହିଥିବା ସୁବିଧା ଆଦି ପ୍ରଦର୍ଶିତ କରିବାକୁ ଏହି କନକ୍ଲେଭ ଏକ ମଞ୍ଚ। ବିଭିନ୍ନ ଶିଳ୍ପ କ୍ଷେତ୍ରର ଦୃଷ୍ଟିକୋଣ ଉପରେ ଆଲୋଚନା ପାଇଁ ଶିଳ୍ପ ନେତୃବୃନ୍ଦଙ୍କ ନିମନ୍ତେ ଏହା ଏକ ସୁଯୋଗ।


ଉଲ୍ଳେଖଯୋଗ୍ୟ ଯେ ମେକ୍ ଇନ ଓଡ଼ିଶା କନକ୍ଳେଭ୍-୨୦୨୨ ସମ୍ପର୍କିତ ସମସ୍ତ ତଥ୍ୟର ଭଣ୍ଡାର ହେଉଛି ମେକ୍ ଇନ୍ ଓଡ଼ିଶା ପୋର୍ଟାଲ। ବିଭିନ୍ନ ଅଧିବେଶନ ଏବଂ ବକ୍ତାଙ୍କ ସମ୍ପର୍କରେ ପ୍ରତିନିଧିମାନେ ଏଥିରୁ ଜାଣିପାରିବେ। ଏଥିସହ ସେମାନେ ଏହି କନକ୍ଲେଭ ପାଇଁ ନିଜର ପଞ୍ଜୀକରଣ କରିପାରିବେ। ମୋବାଇଲ ଆପ୍ ଆଣ୍ଡ୍ରଏଡ଼୍, ପ୍ଲେ ଷ୍ଟୋର, ଆପଲ ଆପ୍ ଷ୍ଟୋରର ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଉପଲବ୍ଧ। ୨୦୧୬, ୨୦୧୮ରେ ଆୟୋଜିତ କନକ୍ଲେଭର ସଫଳତା ପରେ ଚଳିତବର୍ଷ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଅନୁଷ୍ଠିତ ହେଉଛି।



Powered by Froala Editor