କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ବିଭିନ୍ନ ବୁଥ୍ରେ ଇଭିଏମ୍ ମେସିନ୍ରେ ତ୍ରୁଟି ଦେଖା ଯିବାରୁ ମତଦାନ ବାଧାପ୍ରାପ୍ତ । ପ୍ରାୟ ୩ଟି ବୁଥ୍ରେ ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ହୋଇଛି । ସେପଟେ କିଣିଲୋର ୩୦୭ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ଚିରକୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ସେଠାରେ ମତଦାନ ବନ୍ଦ ରହିଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ୨୭୮ ନମ୍ବର ବୁଥରେ ଇଭିଏମ୍ ମେସିନ୍ରେ ପ୍ରଥମେ ଯାନ୍ତ୍ରିକ ତ୍ରୁଟି ହୋଇଥିଲା । ଯଦ୍ୱାରା ଭୋଟ ଦେବାକୁ ଆସିଥିବା ମତଦାତାମାନେ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ । ସେହିପରି ଜଅଁରା ବାରିମୂଳ ୧୩୧ ନଂ ବୁଥ୍, ତେହେଡ଼ା ୧୨୮ ନଂ ବୁଥ ଓ ବେଡ଼ାରିର ୩୦୦ ନମ୍ବର ବୁଥ୍ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଫଳରେ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କାଁ ଭାଁ କେତୋଟି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସବୁ ସ୍ଥାନରେ ମତଦାନ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଜଣାପଡ଼ିଛି ।
