ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି କଟକ

ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି କଟକ

ରାଜ୍ୟ ଖବର

କଟକ : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଚଳଚଂଚଳ ହୋଇଛି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି ।

ଏଠାରେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି । ପଡିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ । କୁ୍ୟଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ । ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ । ତେବେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେପଟେ ଲକ୍ଷାଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟି ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ । କଟକ ଡିସିପି ପୀନାକ ମିଶ୍ର କହିଛନ୍ତି, ଏଠାରେ ନୂଆ କରି ଖୋଲାଯାଇଥିବା ପୁଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି । ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭି ବଳୟରେ । ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ ।

ତେବେ ଯାତ୍ରା ପୂର୍ବରୁ ପାର୍କିଂ ସ୍ଥାନ ଓ ଦରକୁ ନେଇ ଦେଖାଦେଇଛି ଅସନ୍ତୋଷ । ଦୁଇ ଚକିଆ ପାଇଁ ପୂର୍ବରୁ ପାର୍କିଂ ଫି ୩୦ ଟଙ୍କା ଥିବା ବେଳେ ଏଥର ୫୦ ଟଙ୍କା କରାଯାଇଛି । ତେବେ ଏହି ଦର ଆଜିର ଦିନରେ ବିଶେଷ କିଛି ନୁହେଁ ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି । ଯାହା ନିଆଁରେ ଘିଅ ଢାଳିଛି ।
ଏପଟେ ବାଲିଯାତ୍ରା ପାଇଁ ସଜେଇ ହେଉଛି ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠା । ଦୁଇ ବର୍ଷ ପରେ ଜମିବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଯାତ୍ରାକୁ ଆକର୍ଷଣୀୟ କରିବାକୁ ଅଂଟା ଭିଡିଛି ବାଲିଯାତ୍ରା କମିଟି । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଂଚ । ଦର୍ଶକଙ୍କ ମନୋରଂଜନ ପାଇଁ ଓଲିଉଡ୍ ସମେତ ବଲିଉଡରୁ ଆସିବେ ନାମୀଦାମୀ ଗାୟକ ଓ କଳାକାର । ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ ମୀନାବଜାର । ୩ ଶହ ଷ୍ଟଲରେ ନିଜ ନିଜର ପସରା ମେଲିବେ ରାଜ୍ୟ ଏବଂ ବାହାର ରାଜ୍ୟର ବ୍ୟବସାୟୀ । ପଡିଆକୁ ପ୍ରବେଶ ପାଇଁ ତିଆରି ହୋଇଛି ତିନି ତିନିଟି ଗେଟ୍ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏଠାରେ ଟ୍ରାଫିକ ଓ ପାର୍କିଂ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ । ଯାତ୍ରା ସମୟରେ ଭାରିଯାନ ଚଳାଚଳ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ । ୮ରୁ ୧୦ ପ୍ଲାଟୁନ ଫୋର୍ସ ସହ ବାଲିଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍କ୍ୱାଡ୍ ।

ଭୁବନେଶ୍ୱର ବାଲିଯାତ୍ରା କମିଟି ଆବାହକ ଯଶୋବନ୍ତ ଓଝା କହିଛନ୍ତି, ଦୁଇ ବର୍ଷର ମହାମାରୀ ପରେ ଟ୍ୱିନସିଟିରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉସôାହ ଦେଖାଦେଇଛି ।

Powered by Froala Editor