ବସ୍ତା : ନିଜ ଗଡକୁ ଫେରିବେ କି ରଘୁନାଥ ?

ବସ୍ତା : ନିଜ ଗଡକୁ ଫେରିବେ କି ରଘୁନାଥ ?

ରାଜନୀତି

ଭୁବନେଶ୍ୱର : ଏକଦା ବସ୍ତା ନିର୍ବାଚନମଣ୍ଡଳୀ ଥିଲା କଂଗ୍ରେସର ଗଡ଼ । ହେଲେ ସେହି ଗଡ଼କୁ ଭାଙ୍ଗି ନିଜ ଗଡ଼ରେ ପରିଣତ କରିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଏକଦା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଖାସ ନେତା କୁହାଯାଉଥିବା ରଘୁନାଥ ପାରିବାରିକ ବିବାଦରେ ଛନ୍ଦି ହୋଇ ନବୀନଙ୍କ ରୋଷର ଶିକାର ହୋଇଥିଲେ । ହେଲେ ଏବେ ରଘୁନାଥ ପୁଣି ଟ୍ରାକକୁ ଫେରିଛନ୍ତି । ଧିରେଧିରେ ନବୀନଙ୍କ ଆସ୍ଥା ଭାଜନ ହେଉଥିବା ରଘୁନାଥ ପୁଣି ବସ୍ତାରେ ରାଜ କରିବେ ନା ତାଙ୍କୁ ଜଳେଶ୍ୱର ପଠାଇ ଦିଆଯିବ ତାହାକୁ ନେଇ ବାଲେଶ୍ୱର ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୯୫୧ ନିର୍ବାଚନରେ ବସ୍ତାରୁ କଂଗ୍ରେସ ପ୍ରାର୍ଥୀ ଭାବେ ତ୍ରିଲୋଚନ ସେନାପତି ପ୍ରଥମେ ବାଜିମାତ କରିବାର ସୌଭାଗ୍ୟ ପାଇଥିଲେ । ୧୯୫୭ରେ କଂଗ୍ରେସର ଅକ୍ଷୟ ନାରାୟଣ ପ୍ରହରାଜ ବିଜୟୀ ହୋଇଥିବାବେଳେ ୧୯୫୮ ଉପନିର୍ବାଚନରେ କଂଗ୍ରେସ ନେତା ଅକ୍ଷୟ ନାରାୟଣ ପ୍ରହରାଜ ଜିତିଥିଲେ । ତେବେ ୧୯୬୧ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ନେତା ମହେଶ୍ୱର ବାଗ ବିଜୟ ଲାଭ କରିବାରୁ କଂଗ୍ରେସର ବିଜୟ ଧାରାରେ ରୋକ ଲାଗିଥିଲା । ତେବେ ପରେ ୧୯୬୭ରେ ଚିନ୍ତାମଣି ଜେନା ବିଜୟୀ ହୋଇ କଂଗ୍ରେସର ବିଜୟ ଧାରା ଆରମ୍ଭ କରିଥିଲେ । କିନ୍ତୁ ୧୯୭୧ରେ ଚିନ୍ତାମଣି ଜନତା ପାର୍ଟିରୁ ବିଜୟୀ ହୋଇଥିବାବେଳେ ପରବର୍ତୀ ସମୟରେ ଅର୍ଥାତ ୧୯୭୪ରେ ପୁଣି କଂଗ୍ରେସରୁ ବିଜୟୀ ହୋଇ ହାଟ୍ରିକ ମାରିଥିଲେ । ଅପରପକ୍ଷରେ ୧୯୭୭ରେ ପ୍ରଥମ ଥର ପାଇଁ ଜନତା ପାର୍ଟି ଖାତା ଖୋଲିଥିଲା । ମହେଶ୍ୱର ବାଗ ହୋଇଥିଲେ ବିଧାୟକ । ୧୯୮୦ ଓ ୧୯୮୫ରେ ସେଠାରେ କଂଗ୍ରେସ ନେତା ଭୂପାଲ ଚନ୍ଦ୍ର ମହାପାତ୍ର ବିଧାୟକ ହୋଇଥିଲେ । ତେବେ ୧୯୯୦ରେ ରାଜନୀତିର ଗତି ବଦଳି ଯାଇଥିଲା । ଜନତା ଦଳରୁ ରଘୁନାଥ ମହାନ୍ତି ବିଜୟୀ ହୋଇ ବସ୍ତାକୁ ନିଜର ଗଡ଼ରେ ପରିଣତ କରିଥିଲେ । ୧୯୯୦ରୁ ଲଗାତର ସେ ୫ ଥର ବିଧାୟକ ହେବା ସହ ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ପାଇଥିଲେ । କିନ୍ତୁ ପାରିବାରିକ ବିବାଦ କାରଣରୁ ୨୦୧୪ରେ ରଘୁନାଥ ଟିକେଟରୁ ବଂଚିତ ହୋଇଥିଲେ । ତେବେ ଅନ୍ୟ ନେତାଙ୍କ ଭଳି ସେ ବିଜେଡ଼ି ଛାଡ଼ିନଥିଲେ କିମ୍ବା ବିରୋଧ କରିନଥିଲେ । ଫଳରେ ପୁଣିଥରେ ସେ ନବୀନଙ୍କ ଆସ୍ଥାଭାଜନ ହୋଇଛନ୍ତି । ତାଙ୍କୁ ଦଳର ଉପସଭାପତି କରାଯିବା ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ମିଳିଛି । ଉଭୟ ଜଳେଶ୍ୱର ଓ ବସ୍ତା ନିର୍ବାଚନମଣ୍ଡଳୀରେ ରଘୁନାଥଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ରଘୁ କିନ୍ତୁ ବସ୍ତାକୁ ହିଁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି । ବସ୍ତାରୁ ବିଜେଡ଼ି ଟିକେଟ ଦୌଡ଼ରେ ରହିଛନ୍ତି ବର୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁ । ତେବେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ନେଇ ଯେମିତି ଜଳେଶ୍ୱରରେ ଚର୍ଚ୍ଚା ଧରିଛି ଅନରୂପ ଭାବେ ବସ୍ତାରେ ମଧ୍ୟ ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ବସ୍ତା ବ୍ଲକ ବିଜେଡ଼ି ସଭାପତି ତ୍ରିଲୋଚନ ବେହେରା ଓ ବସ୍ତା ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏହାଛଡ଼ା ରବୀନ୍ଦ୍ର କୁମାର ଅଣ୍ଡିଆ ଓ ମହେଶ୍ୱର ଜେନା ମଧ୍ୟ ଆଶାୟୀ ଅଛନ୍ତି । ଅପରପକ୍ଷରେ ବିଜେପିରୁ ଏଥର ଜୟନାରାୟଣ ମହାନ୍ତି ଟିକେଟ ପାଇବା ଏକରକମ ସ୍ପଷ୍ଟ ହୋଇଛି । କଂଗ୍ରେସ ଛାଡ଼ି ଜୟନାରାୟଣ ଏହି ସର୍ତରେ ହିଁ ବିଜେପିରେ ସାମିଲ ହୋଇଛନ୍ତି । ତେବେ ପୂର୍ବରୁ ବସ୍ତାରୁ ପ୍ରାର୍ଥୀ ହୋଇଥିବା ଶ୍ୟାମପ୍ରସାଦ ବେହେରା, ରବୀନ୍ଦ୍ର କୁମାର ଜୈନ, ତୁଷାରକାନ୍ତ ବେହେରା, ଅଜୟ କୁମାର ସାହୁ ଓ ଶିବଶଙ୍କର ପ୍ରଧାନ ମଧ୍ୟ ବିଜେପି ଟିକେଟ ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ।