ଆଜିଠୁ ଫିଫା ବିଶ୍ବକପ୍‌

ଆଜିଠୁ ଫିଫା ବିଶ୍ବକପ୍‌

ଖେଳ ଖବର

ଦୋହା : ଆଜିଠୁ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବ। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପୂର୍ବରୁ ସନ୍ଧ୍ୟା ସାଢେ ୭ଟାରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ପୂର୍ବରୁ ଉଦ୍‌ଘାଟନୀ ଉତ୍ସବକୁ ଗୋଟିଏ ଦିନ ଆଗରୁ କରିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ପରେ ଏହାକୁ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଆୟୋଜନ କରିବାକୁ ସ୍ଥିର କରାଯାଇଛି।

ଫିଫା ବିଶ୍ବକପ୍‌ରେ ପଦାର୍ପଣ କରିବା ସହ ଆୟୋଜକ ଭାବେ କାତାର ନୂଆ କୀର୍ତ୍ତିମାନ ରଚିବାକୁ ଯାଉଛି। ଏହି ସଂସ୍କରଣରେ ପୂର୍ବ ବିଜେତା ଫ୍ରାନ୍ସ ସହିତ ୩୨ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସମସ୍ତ ଦଳଙ୍କୁ ନେଇ ୮ ଗ୍ରୁପ୍‌ରେ ବଣ୍ଟାଯାଇଛି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ନକ୍‌ଆଉଟ୍‌ ପର୍ୟ୍ୟାୟକୁ ଉନ୍ନୀତ ହେବେ। ଡିସେମ୍ବର ୩ ତାରିଖରୁ ନକ୍‌ଆଉଟ୍‌ ପର୍ୟ୍ୟାୟ ଆରମ୍ଭ ହୋଇ ୧୮ ତାରିଖରେ ଫାଇନାଲ୍‌ ଅନୁଷ୍ଠିତ ହେବ। ୨୯ ଦିନିଆ ଏହି ଫୁଟ୍‌ବଲ୍ ମହାକୁମ୍ଭରେ ମୋଟ ୬୪ ମ୍ୟାଚ୍‌ ଖେଳାଯିବା ପରେ ବିଶ୍ବ ବିଜେତା ନିର୍ଣ୍ଣୟ ହେବ। ଚଳିତ ବର୍ଷ ବିଶ୍ବକପ୍‌ ୮ ଷ୍ଟାଡିୟମ୍‌ରେ ଖେଳାଯିବ। ଲୁସିଆଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌, ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌, ଷ୍ଟାଡିୟମ୍‌ ୯୭୪, ଅଲ୍‌ ଥୁମାମା ଷ୍ଟାଡିୟମ୍‌, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌, ଏଜୁକେସନ୍‌ ସିଟି ଷ୍ଟାଡିୟମ୍‌, ଅହମ୍ମଦ ବିନ୍‌ ଅଲୀ ଷ୍ଟାଡିୟମ୍‌, ଅଲ୍‌ ଜାନବ ଷ୍ଟାଡିୟମ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ବିଶ୍ବକପ୍‌ର ଏହି ସଂସ୍କରଣ ପାଇଁ ‘ଲାଇବ୍‌’କୁ ମାସ୍କଟ୍‌ ରୂପେ ବଛାଯାଇଛି। ସେହିପରି ଅଫିସିଆଲ୍‌ ମ୍ୟାଚ୍‌ ବଲ୍‌ର ନାମ ରଖାଯାଇଛି ‘ଅଲ୍‌ ରିହଲା’।

Powered by Froala Editor