ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେଉଛି ଓଡି଼ଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଚାଲିବ । ଗାନ୍ଧୀମାର୍ଗର ଧାରଣାସ୍ଥଳ ଏବେଠୁ ଚଳଚଞ୍ଚଳ ହେଲାଣି । ରବିବାରଠୁ ଗାନ୍ଧିମାର୍ଗରେ ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକଙ୍କ ଅହୋରାତ୍ର ଧାରଣା ଚାଲିଛି । ଆହୁରି ୨ଜଣ ସଂଗଠନ କର୍ମୀ ଧାରଣାସ୍ଥଳରେ ବସିଛନ୍ତି । ସୋମବାର ଗାନ୍ଧିମାର୍ଗକୁ ଓହ୍ଲାଇବେ ହଜାର ହଜାର ଅଙ୍ଗନବାଡି଼ କର୍ମୀ । ସେପଟେ ପ୍ରାଥମିକ ଶିକ୍ଷକମାନେ ବି ବିକ୍ଷୋଭ ପାଇଁ ଅଣ୍ଟା ଭିଡି଼ଲେଣି । ଦୀର୍ଘ ୨ ବର୍ଷର କୋଭିଡ୍-୧୯ ଯନ୍ତ୍ରଣା ପରେ ପୁଣି ଗାନ୍ଧିମାର୍ଗ ମାରାଥନ୍ ବିକ୍ଷୋଭ, ଧାରଣାର ମୁକସାକ୍ଷୀ ପାଲଟିବ ।
ଆସନ୍ତା ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ଭିତରେ ଆଲୋଚନା ଚାଲିବ । ଅଧିବେଶନରେ ଶାସକ ଦଳକୁ ଘେରିବାକୁ ବିରୋଧୀଙ୍କ ଶିବିରରେ ରଣନୀତି ପ୍ରସ୍ତୁତ କଲେଣି । ସେପଟେ ବିଧାନସଭା ବାହାରେ ସରକାରଙ୍କୁ ଘେରିବାକୁ ନାନା ସଂଗଠନ ସଜବାଜ ହେଲେଣି । କେତେକ ସଂଗଠନ ଲୋୟର ପିଏମ୍ଜିରେ ତମ୍ବୁ ପକାଇ ଡେରା ପକାଇଲେଣି । ମାଇକ୍ ଓ ଟେଣ୍ଟ ବାଲାକୁ ବରାଦି ଦେଇସାରିଲେଣି । ଅଭିନବ ଉପାୟରେ ସରକାରଙ୍କୁ ହକ୍ ମାଗିବେ । ଯାହାକି, ସରକାରଙ୍କୁ ଅଡୁଆରେ ପକାଇବ । ବର୍ତ୍ତମାନ ସୁଦ୍ଧା କମିଶନରେଟ୍ ପୁଲିସ୍ର ଲାଇସେନ୍ସ ସେଲ୍ରେ ୧୫ଟି ସଂଗଠନ ଧାରଣା ପାଇଁ ଅନୁମତି ଲୋଡି଼ଛନ୍ତି । ଚଳିତ ଅଧିବେଶନରେ ଆଉ ୧୦ରୁ ଅଧିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରିଥିବା ସୂଚନା ମିଳିଛି ।
Powered by Froala Editor
