ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ରାଜ୍ୟ ଖବର

ଭୁବନେଶ୍ୱର : ଗତକାଲି ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଇଡି ଦୀର୍ଘ ଘଣ୍ଟା ଘାଣ୍ଟିବା ପରେ ଆଜି ସକାଳୁ ଇଡି କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ଆଜି ସକାଳୁ ଏହାର କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ତେଣୁ ଇଡି ତାଙ୍କୁ  ମାରାଥନ ଜେରା କରିବାର ଅନୁମାନ କରାଯାଉଛି। ଏଥିସହ ଆଜି ପୁଣି ଥରେ ଇଡି କାର୍ୟ୍ୟାଳୟରେ ଅକ୍ଷୟ ପରିଜା ହାଜର ହେବେ ବୋଲି ଜଣାପଡ଼ିଥିବା ବେଳେ ଉଭୟଙ୍କର ମୁହାଁମୁହିଁ ଜେରା ହୋଇପାରେ ବୋଲି ବି ଶୁଣିବାକୁ ମିଳୁଛି।

ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ। ଉଭୟ ତାଙ୍କୁ ଟଙ୍କା ମାଗିବା ସହ ବ୍ଲାକମେଲ୍‌ କରୁଥିବା ସେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ  ଶ୍ରଦ୍ଧାଞ୍ଜଳି ନିଜେ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ କରି ଜଗବନ୍ଧୁ ଓ ତାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ନାମରେ ଅଭିଯୋଗ କରିଥିଲେ। ତେଣୁ ଗୋଟିଏରେ ସେ ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟଟିରେ ସେ ସାଜିଥିଲେ ଅଭିଯୋଗକାରୀ।


ଅର୍ଚ୍ଚନା ମାମଲାକୁ ଏବେ ଇଡି ଜୋରସୋରରେ ଘାଣ୍ଟୁଥିବା ବେଳେ ଏଥିରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କ ନିକଟରୁ ସତ ଉଗାରିବାକୁ ପୂର୍ବରୁ ବହୁ ଥର ସମନ କରିଥିଲା। ଏପରିକି ତାଙ୍କ ଘରକୁ ଯାଇ ସମନ କରିଥିଲେ ବି ସେଠାରେ ସେ ଉପସ୍ଥିତ ନ ଥିଲେ। ଇତି ମଧ୍ୟରେ ଶ୍ରଦ୍ଧାଞ୍ଜଳି ୨୫ଟି ଜାଗା ପରିବର୍ତ୍ତନ କରି ସାରିଥିବା ଜଣାଯାଇଛି।  ଗତକାଲି ସେ ଭୁବନେଶ୍ୱରର ଏକ ହୋଟେଲରେ ଥିବା ବେଳେ ପୁଲିସ୍‌ ତାଙ୍କୁ ଠାବ କରି ଆଜି ଇଡିରେ ହାଜର ହେବାକୁ ସମନ ଦେଇଥିଲା। ତେଣୁ ସେ ସକାଳୁ ସକାଳୁ ଇଡି କାର୍ୟ୍ୟାଳୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି।



Powered by Froala Editor