ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ୧୧ ଅଟକ

ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ୧୧ ଅଟକ

ରାଜ୍ୟ ଖବର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବଜାରରେ ବୁଧବାର ରାତିରେ କାର୍ତ୍ତିକେଶ୍ୱର ଭସାଣି ବେଳେ ଘଟିଥିବା ବାଣ ବିସ୍ଫୋରଣ ଅଘଟଣକୁ ନେଇ ସଦର ପୁଲିସ ଆଜି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶୋଭାଯାତ୍ରା ଆୟୋଜନକାରୀ କମିଟି ଚଣ୍ଡି ଶ୍ରମିକ ସଂଘର ସଭାପତି, ସମ୍ପାଦକଙ୍କ ସମେତ ୨ ବାଣୁଆଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି । ଆଜି ଏହି ଘଟଣାରେ ସଦର ଥାନା ପୁଲିସ ୧୧ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରୁଥିବା ଆଇଆଇସି ପବିତ୍ର ମହାରଣା କହିଛନ୍ତି । ସେହିପରି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେ କଟକ ବଡ଼ ମେଡିକାଲରେ ୩୪ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଭସାଣି ଶୋଭାଯାତ୍ରାରେ ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯାଇ ନ ଥିଲା । ଆଇନ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
 ବିସ୍ଫୋରଣର ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କଟକ ବଡ଼ ମେଡିକାଲ୍‌ର ବର୍ଣ୍ଣ ଆଇସିୟୁରେ ୫ ଜଣ ଓ କେନ୍ଦ୍ରୀୟ ଆଇସିୟୁରେ ଆଉ ୫ଜଣଙ୍କର ଚିକିତ୍ସା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଚଣ୍ଡି ଶ୍ରମିକ ସଂଘ କମିଟି ଓ ଧୋବା ସାହି ମେଢ଼ କମିଟି ମଧ୍ୟରେ ମେଢ଼ ଭସାଣି ବେଳେ ବାଣଫୁଟାକୁ ନେଇ ପ୍ରତିଯୋଗିତା ହେଉଥିଲା । ବାଲିଆ ବଜାର ପ୍ରବେଶ ପଥ ନିକଟରେ ଚଣ୍ଡି ଶ୍ରମିକ ସଂଘ ପକ୍ଷରୁ ବାଣ ଫୁଟା ଯାଉଥିବାବେଳେ ଅଚାନକ ଅନ୍ୟତ୍ର ବିସ୍ଫୋରଣ ହୋଇଥିଲା । ସିଙ୍ଗଲ୍‌ ସଟ୍‌ ବାଣ ଗୁଡ଼ିକ ସମୂହ ଭାବେ ଲୁହା ପାଇପ୍‌ରେ ରଖି ଫୁଟାଇବା ବଦଳରେ ପଟିଲ୍‌ରେ ଆବଦ୍ଧ ପାଇପ୍‌ରେ ଏକାଠି ରଖି ଫୁଟାଯାଇଥିଲା । ଫଳରେ ୧୦ଟି ବାଣ ମଧ୍ୟରୁ ୪ ନଂ. ପଟିଲ୍‌ ପାଇପ୍‌ରେ ଥିବା ସିଙ୍ଗଲ ସଟ୍‌ ବାଣ ଉପରକୁ ଉଠିବା ବଦଳରେ ପାଖରେ ଏକ ଦୋକାନରେ ରଖାଯାଇଥିବା ବାଣଗଦା ଉପରେ ଛିଟିକି ପଡ଼ିଥିଲା ।

ଗତକାଲି ୩୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୩୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ କେବଳ ଜଣେ ଆହତ ନିଜ ଆଡୁ ଭର୍ତ୍ତି ହୋଇଛନ୍ତି । ଜମଧରର ନିତ୍ୟାନନ୍ଦ ବେହେରା ମେଡିକାଲରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଆହତଙ୍କ ମଧ୍ୟରେ ୨୮ ଜଣ ପୁରୁଷ, ୩ ଜଣ ଲେଖାଏଁ ମହିଳା ଓ ନାବାଳକ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୱାର୍ଡରେ ୫ଜଣ ଆହତ ଏବେ ଚିକିତ୍ସାଧୀନ ଅଛନ୍ତି ।

 

Powered by Froala Editor