ଶୀତ ସହାୟତା,  ଉପକୃତ ହେବେ ୪୮ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ଶୀତ ସହାୟତା, ଉପକୃତ ହେବେ ୪୮ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ରାଜ୍ୟ ଖବର

ଭୁବନେଶ୍ବର : ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ମଧୁବାବୁ ପେନସନ ଯୋଜନା ଓ ଜାତୀୟ ପେନ୍‌ସନ ଯୋଜନା  ଅନ୍ତର୍ଗତ ୪୮ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୪୬କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହାସହିତ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନସନ ହିତାଧିକାରୀମାନଙ୍କୁ ଗ୍ରୀଷ୍ମ ଓ ଶୀତ ସହାୟତା ଯୋଗାଇ ଦେଇଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ୟ୍ୟାଳୟ ଓ ସ୍କୁଲ ଘର ଗୁଡିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୩୦ ଓ ଡିସେମ୍ବର ୧ ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ଏ ସହାୟତା ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ।

Powered by Froala Editor