ଛାତ୍ର କହିପାରିଲାନି ପଣକିଆ,  ଛାତ୍ରର ହାତରେ ଡ୍ରିଲ୍ ମେସିନ ଚଳାଇଦେଲେ ଶିକ୍ଷକ

ଛାତ୍ର କହିପାରିଲାନି ପଣକିଆ, ଛାତ୍ରର ହାତରେ ଡ୍ରିଲ୍ ମେସିନ ଚଳାଇଦେଲେ ଶିକ୍ଷକ

ଜାତୀୟ ଖବର

ଲକ୍ଷ୍ନୌ: ଶିକ୍ଷକ ସାଜିଲେ ସଇତାନ। ଛାତ୍ର କହିପାରିଲାନି ପଣକିଆ। ରାଗିଗଲେ ଶିକ୍ଷକ, ଭୁଲିଗଲେ ହିତାହିତ ଜ୍ଞାନ। ଦଣ୍ଡ ସ୍ୱରୂପ ଛାତ୍ରର ହାତରେ ଡ୍ରିଲ୍ ମେସିନ ଚଳାଇଦେଲେ ଶିକ୍ଷକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରରେ।

କାନପୁର ଜିଲ୍ଲାର ପ୍ରେମନଗରରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଏଠାକାର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ସ୍କୁଲ ଶିକ୍ଷକ ୨ ପଣକିଆ ପଚାରିଥିଲେ। ହେଲେ ଛାତ୍ର ଜଣକ କହିପାରିନଥିଲା। ଏଥିରେ ରାଗିଯାଇଥିଲେ ଶିକ୍ଷକ। ପାଖରେ ଥିବା ଡ୍ରିଲ ମେସିନ ଆଣି ଛାତ୍ରର ହାତରେ ଚଳାଇଦେଇଥିଲେ ଶିକ୍ଷକ। ତେବେ ବଡ ଅଘଟଣ ଘଟିବା ପୂର୍ବରୁ ପାଖରେ ଥିବା ଆଉ ଜଣେ ଛାତ୍ର ଡ୍ରିଲ ମେସିନର ସୁଇଚ୍‌କୁ ତୁରନ୍ତ ବନ୍ଦ କରିଦେଇଥିଲା। ଫଳରେ ପୀଡିତ ଛାତ୍ର ଜଣକ ହାତରେ ଅଳ୍ପ ଆଘାତ ଲାଗିଛି।

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୀଡିତ ଛାତ୍ରଙ୍କ ପରିବାର ଲୋକେ ସ୍କୁଲରେ ପହଞ୍ଚି ହଙ୍ଗାମା କରିଛନ୍ତି। ପୁଲିସ ରିପୋର୍ଟ ମୁତାବକ, ଛାତ୍ରର ବାମ ହାତରେ ଆଘାତ ଲାଗିଛି। ତା’ର ଚିକିତ୍ସା କରାଯାଇ ଘରକୁ ପଠାଯାଇଛି। ସେପଟେ ଏହି ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସୂଚିତ କରାଯାଇଛି।

ସୂଚନା ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହି ପୂରା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଦୋଷ ପ୍ରମାଣିତ ହେବା ପରେ କାହାକୁ ବି ଛଡାଯିବ ନାହିଁ। ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Powered by Froala Editor