ଆନନ୍ଦପୁର: ଗୁଳିମାଡ଼ରେ ଦମ୍ପତିଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଉଛନ୍ତି ସେହି ଗ୍ରାମର ଲକ୍ଷ୍ମୀଧର ଆପଟ (୪୭) ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ (୪୦)। ଲକ୍ଷ୍ମୀଧରଙ୍କ ଘର ଆଗରେ ଏକ ତେଜରାତି ଦୋକାନ ରହିଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାବେଳେ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ ଦୋକାନ ବନ୍ଦ କରି ଘରେ ଥିଲେ। ୪ରୁ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ତାଙ୍କ ଘର ଆଗରେ ପହଞ୍ଚିଥିଲେ। ସେମାନେ ସମସ୍ତେ ମୁଖା ପିନ୍ଧିଥିଲେ।
ଦୁଇଜଣଙ୍କ ହାତରେ ବନ୍ଧୁକ ଥିବା ବେଳେ ଜଣେ ଭୁଜାଲି ଧରିଥିଲେ। ଜଣେ ଦୁର୍ବୃତ ଲକ୍ଷ୍ମୀଧରଙ୍କୁ ଦୋକାନ ଖୋଲି କିଛି ଜିନିଷ ଦେବାକୁ ଡାକିଥିଲା। ସେ ଘରୁ ବାହାରକୁ ଆସି ଦୋକାନ ଖୋଲୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ଫୁଟିବା ଶବ୍ଦ ଶୁଣି ପତ୍ନୀ ମଞ୍ଜୁଲତା ଓ ପୁଅ ବାବୁ ଦୌଡ଼ି ଆସିଥିଲେ। ମଞ୍ଜୁଲତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିବା ବେଳେ ପୁଅ ବାବୁଙ୍କୁ ଭୁଜାଲିରେ ହାଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ବାରମ୍ବାର ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଲୋକଙ୍କ ପାଟିତୁଣ୍ଡ ଶୁଣି ଦୁର୍ବୃତ୍ତମାନେ ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଲକ୍ଷ୍ମୀଧର ଓ ମଞ୍ଜୁଲତାଙ୍କୁ ବଡ଼ବିଲ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ବଲାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor
