ବ୍ରହ୍ମପୁର : ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଚାରି ଚାରିଟି ଫୌଜଦାରୀ ମାମଲାରେ ଜଡ଼ିତ ଥାଇ ଜାମିନରେ ଆସିଥିବା ଜଣେ ବ୍ୟକ୍ତି ହଠାତ୍ କୋର୍ଟ ହଲ୍ ଭିତରକୁ ପଶି ଏସ୍ଡିଜେଏମ୍ ପ୍ରଜ୍ଞାପାରମିତା ପ୍ରତିହାରୀଙ୍କ ବେକରେ ଛୁରୀ ଲଗାଇଛି। ଏହିସମୟରେ ଏସ୍ଡିଜେଏମ୍ ନିଜ ଆସନରେ ବସି କାର୍ୟ୍ୟ କରୁଥିଲେ।
ଏପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ଦାବିକରି ଆଇନଜୀବୀମାନେ ସତ୍ୟାଗ୍ରହରେ ବସିଥିବାରୁ କୋର୍ଟ ହଲ୍ ପରିସର ଖାଁ ଖାଁ ଥିଲା। ଏତିକିବେଳେ ଏହି ଦୁର୍ବୃତ୍ତ ଜଣକ ହଠାତ୍ ଏସ୍ଡିଜେଏମ୍ଙ୍କ ଚୌକି ନିକଟରେ ପହଞ୍ଚି ତାଙ୍କ ବେକରେ ଏକ ଧାରୁଆ ଛୁରୀ ଲଗାଇବା ସହିତ ମାରିଦେବାକୁ ଧମକ ଦେଇଥିଲା। ଏସ୍ଡିଜେଏମ୍ଙ୍କ ଚିତ୍କାର ଶୁଣି କୋର୍ଟ ହଲ୍ ବାହାର କରିଡର୍ରେ ଉପସ୍ଥିତ ଥିବା ଜଣେ ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା, ସଫେଇ କର୍ମଚାରୀ ଶଙ୍କର ରାଓ ଓ ଜଣେ ମହିଳା କୋର୍ଟ କର୍ମଚାରୀ ତୁରନ୍ତ ଦୌଡ଼ିଯାଇ ଦୁର୍ବୃତ୍ତକୁ କୌଶଳ କ୍ରମେ କାବୁ କରି ନେଇଥିବା ଜଣାପଡ଼ିଛି।
ଏହି ଦୁର୍ବୃତ୍ତ ଜଣକ ହେଉଛି ଭଗବାନ ସାହୁ(୫୦)। ପୁଲିସର ତଥ୍ୟ ଅନୁସାରେ ଅଭିଯୁକ୍ତ ଭଗବାନ ବିରୋଧରେ ୪ଟି ସଂଗିନ ଅପରାଧ ମାମଲା ବିଚାରାଧୀନ ରହିଛି। ସେ ସର୍ତ୍ତମୂଳକ ଜାମିନ୍ ପାଇ ଜେଲ୍ରୁ ବାହାରିଥିଲା। ତେବେ, କେଉଁ ପରିସ୍ଥିତିରେ ଅଭିଯୁକ୍ତ ଭଗବାନ କୋର୍ଟ ହଲ୍ ଭିତରକୁ ପଶି ଏସ୍ଡିଜେଏମ୍ଙ୍କୁ ଛୁରା ଦେଖାଇବା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ତା୍କୁ ଗିରଫ କରିବା ସହିତ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Powered by Froala Editor
